ଟୋକନ ମିଳୁନି, ଚାଷୀ ବିକି ପାରୁନି ଧାନ

ଉମରକୋଟ, ୧୧।୨ (ଡି.ଏନ୍‌.ଏ.)- ଅନଲାଇନ ଧାନ କିଣା ବ୍ୟବସ୍ଥାରେ ଫସିଲେ ଚାଷୀ । ପୂର୍ବରୁ ରେଜିଷ୍ଟ୍ରେଶନ କରିବା ଅନୁସାରେ ମଣ୍ଡିରେ ଯେତେ ପରିମାଣରେ ଧାନ କିଣିବା କଥା ସେହି ପରିମାଣରେ ଧାନ ବିକ୍ରି କରୁଥିଲେ। ନୂଆ ବ୍ୟବସ୍ଥା ଅନୁଯାୟୀ ଲ୍ୟାମ୍ପସ ଅନଲାଇନରେ ଚାଷୀଙ୍କୁ ପଞ୍ଜିକୃତ କଲେ ମୋବାଇଲରେ ମେସେଜ ଆସିବା ପରେ ଚାଷୀ ମଣ୍ଡିରେ ଧାନବିକ୍ରି କରିବେ। କିନ୍ତୁ ଏ ପର୍ଯ୍ୟନ୍ତ ବହୁ ଚାଷୀଙ୍କ ମୋବାଇଲକୁ ମେସେଜ ଆସି ନାହିଁ । ଫଳରେ ଅମଳ ହୋଇଥିବା ଧାନକୁ ବିକ୍ରି କରି ନପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳର ଚାଷୀ । ବାରମ୍ବାର ଲ୍ୟାମ୍ପକୁ ଯାଇ ଚାଷୀ ହତାଶ ହୋଇ ଫେରୁଛନ୍ତି। ଟୋକନ ପାଇଁ କହିଲେ ମେସେଜ ଆସିନି କହି ଚାଷୀଙ୍କୁ ଫେରାଇ ଦେଉଛନ୍ତି । ମଣ୍ଡି ସମାପ୍ତ ହେବା ପାଇଁ ତାରିଖ ସ୍ଥିର ହୋଇ ନଥିଲେ ମଧ୍ୟ ଆଉ ଅଳ୍ପଦିନ ମଧ୍ୟରେ ମଣ୍ଡି ବନ୍ଦ ହୋଇଯିବ । ଚାଷୀଙ୍କୁ ଏହି ଚିନ୍ତା ଘାରିଥିଲାବେଳେ ଏପଟ ବର୍ତ୍ତମାନ ଚାଲିଥିବା ଅଦିନିଆ ବର୍ଷା ଯୋଗୁ ଧାନଖଲାରେ ପଡିରହିଥିବା ଧାନସବୁ ନଷ୍ଟ ହେବାରେ ଲାଗିଛି । ଫଳରେ ଚାଷୀ ଧାନ ଅମଳ ପରେ ବିକ୍ରି କରି ନପାରି କ୍ଷତି ସହୁଛନ୍ତି । ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳ ଲଛିନ୍ଦ୍ର ଭତ୍ରା, ରବି ସମରଥ ଭଳି ଅନେକ ଧାନ ଚାଷୀ ଏ ସମ୍ପର୍କରେ ଲ୍ୟାମ୍ପ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ୧୬୩୦ ଚାଷୀଙ୍କ ସିଫ୍ଟିଂ କରାଯାଇଥିଲା । ୧୦୦୦ରୁ ଅଧିକା ଚାଷୀ ଧାନ ବିକ୍ରୟ କରିସାରିଲେଣି ଟୋକନ ଆସିଲେ ବଳକା ଚାଷୀଙ୍କ ଧାନ କ୍ରୟ କରାଯିବ । ଲ୍ୟାମ୍ପ ପକ୍ଷରୁ ସମସ୍ତ ସିଫ୍ଟି ହୋଇଥିବା ଚାଷୀଙ୍କ ଧାନ କ୍ରୟ କରିବାକୁ ପ୍ରୟାସ କରାଯାଉଛି ବୋଲି ଲ୍ୟାମ୍ପ ଏମଡି ଅସିତ ରାୟ ପ୍ରକାଶ କରିଛନ୍ତି।