Categories: ବାଣିଜ୍ୟ

ଟେଲିକମ୍‌ କମ୍ପାନୀ ପଇଠ କରିବେ ୧.୪୭ ଲକ୍ଷ କୋଟି ବକେୟା

ନୂଆଦିଲ୍ଲୀ,୧୭-୧: ବୈଧାନିକ ଦେୟ ବାବଦ ବକେୟା ୧.୪୭ ଲକ୍ଷ କୋଟି ଟଙ୍କା ଚଳିତ ମାସ ୨୩ ସୁଦ୍ଧା ସରକାରଙ୍କୁ ଦେବା ଲାଗି ସୁପ୍ରିମକୋର୍ଟ ଟେଲିକମ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ପୁନର୍ବିଚାର ଲାଗି ଭୋଡାଫୋନ ଆଇଡିଆ ଏବଂ ଏୟାରଟେଲ ଭଳି କମ୍ପାନୀ ସର୍ବୋଚ୍ଚ ନ୍ୟାୟାଳୟରେ ରିଭ୍ୟୁ ପିଟିଶନ ଦାୟର କରିଥିଲେ। ଶୁକ୍ରବାର ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି। ଜଷ୍ଟିସ ଅରୁଣ ମିଶ୍ର, ଏସ୍‌.ଏ. ଅବଦୁଲ ନାଜିର ଏବଂ ଏମ୍‌.ଆର୍‌ ଶାହ ବୁଧବାର ଏହି ମାମଲାର ଶୁଣାଣି କରିବା ସହ ଆବେଦନକୁ ଖାରଜ କରିଥିବା ଜଣାପଡିଛି। ଏହି ମାମଲାର ପୁନଃ ଶୁଣାଣି ଲାଗି କୌଣସି ଯଥାର୍ଥ କାରଣ ନ ଥିବା ଖଣ୍ଡପୀଠ କହିଛନ୍ତି। ଫଳରେ ଧାର୍ଯ୍ୟ ସମୟ ମଧ୍ୟରେ ଟେଲିକମ କମ୍ପାନୀଗୁଡିକ ୧.୦୨ ଲକ୍ଷ କୋଟି ଟଙ୍କାର ଆଡଜଷ୍ଟେଡ ଗ୍ରସ ରେଭେନ୍ୟୁ (ଏଜିଆର୍‌) ଦେୟ ପଇଠ କରିବେ। ଟେଲିକମ୍‌ କମ୍ପାନୀଙ୍କର ଅଣ ଟେଲିକମ୍‌ ରାଜସ୍ବ ବା ଏଜିଆରକୁ ନେଇ ବୈଧାନିକ ଦେୟ ହିସାବ କରାଯିବ ବୋଲି ଅକ୍ଟୋବର ୨୪ରେ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ।
ଏହି ମାମଲାର ଓପନ କୋର୍ଟ ହିଅରିଂ ହେଉବୋଲି ଟେଲିକମ୍‌ କମ୍ପାନୀ ନିବେଦନ କରିଥିଲେ। ଏହାକୁ ଖାରଜ କରିବା ସହ ସର୍ବୋଚ୍ଚ ନ୍ୟାୟାଳୟ ଇନ ଚାମ୍ବର ଶୁଣାଣି କରିଥିଲେ। ଗତ ବର୍ଷ ଅକ୍ଟୋବରରେ ଟେଲିକମ୍‌ ମନ୍ତ୍ରୀ ରବି ଶଙ୍କର ପ୍ରଶାଦ କହିଥିଲେ ଯେ, ବୈଧାନିକ ଦେୟ ବାବଦ ଟେଲିକମ୍‌ କମ୍ପାନୀଗୁଡିକ ୧.୪୭ ଲକ୍ଷ କୋଟି ଟଙ୍କା ବାକି ରଖିଛନ୍ତି। ଏହି ଦେୟ ଉପରେ ବର୍ତ୍ତମାନ ସୁଧ କିମ୍ବା ଜରିମାନା ଛାଡ କରିବା ନେଇ କୌଣସି ଯୋଜନା ନାହିଁ ବୋଲି ସେ ମତ ରଖିଥିଲେ। ଦେୟ ମଧ୍ୟରେ ଲାଇସେନ୍ସ ଫି ବାବଦ ୯୨,୬୪୨ କୋଟି, ସ୍ପେକ୍ଟ୍ରମ ବ୍ୟବହାର ଚାର୍ଜ ବାବଦ ୫୫,୦୫୪ କୋଟି ଟଙ୍କା ସାମିଲ ରହିଥିବା ଲୋକସଭାକୁ ଏକ ଲିଖିତ ଉତ୍ତରରେ ସେ କହିଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଏକ ସତ୍ୟପାଠ ଜରିଆରେ ଟେଲିକମ୍‌ ବିଭାଗ (ଡିଓଟି) କହିଛି ଯେ, ଏୟାରଟେଲ ଲାଇସେନ୍ସ ଫି ବାବଦ ୨୧, ୬୬୨.୧୩ କୋଟି, ଭୋଡାଫୋନ ୧୯,୮୨୩.୭୧ କୋଟି, ରିଲାଏନ୍ସ କମ୍ୟୁନିକେଶନ ୧୬,୪୪୫ କୋଟି, ବିଏସ୍‌ଏନ୍‌ଲଏ୍‌ ୨୦୯୮ କୋଟି ଏବଂ ଏମ୍‌ଟିଏନ୍‌ଏଲ୍‌ ୨୫୩୭ କୋଟି ଟଙ୍କା ବକେୟା ରଖିଛି।

Share