Categories: ଖେଳ

ଟେଲରଙ୍କୁ ଉପହାର ସ୍ବରୂପ ୧୦୦ ଓ୍ବାଇନ ବୋତଲ

ଓ୍ବେଲିଂଟନ,୨୨।୨- ଏଠାରେ ଚାଲିଥିବା ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ଭେଟେରାନ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ରସ ଟେଲରଙ୍କ ପାଇଁ କ୍ୟାରିୟରର ୧୦୦ତମ ଟେଷ୍ଟ। ବିଶ୍ୱର ପ୍ରଥମ ଖେଳାଳି ଭାବେ ସେ କ୍ରିକେଟର ସମସ୍ତ ଫର୍ମାଟରେ ୧୦୦ ମ୍ୟାଚ୍‌ ଖେଳିଛନ୍ତି। ଏହି ଅବସରରେ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ (ଏନ୍‌ଜେଡ୍‌ସି) ଟେଲରଙ୍କୁ ସ୍ବତନ୍ତ୍ର ଉପହାର ଦେଇଛି। ଉପହାରଟି ହେଲା ୧୦୦ ଓ୍ବାଇନ ବୋତଲ। ଏହାକୁ ଶେଷ କରିବା ଲାଗି ମୋତେ ସାହାଯ୍ୟ ଦରକାର। କିନ୍ତୁ ଏହାକୁ କିଛି ଦିନ ପାଇଁ ରଖାଯାଇପାରିବ। ଏହା ଏକ ପରମ୍ପରା। ଦେଶ ପାଇଁ ୧୦୦ ଟେଷ୍ଟ ଖେଳିଥିବା ଷ୍ଟିଫେନ ଫ୍ଲେମିଂ, ବ୍ରେଣ୍ଡନ ମ୍ୟାକ୍‌କୁଲମ ଓ ଡାନିଏଲ ଭିଟୋରିଙ୍କୁ ମଧ୍ୟ ଏଭଳି ଉପହାର ଦିଆଯାଇଥିଲା ବୋଲି ଟେଲର କହିଛନ୍ତି। ସମସ୍ତ ବୋତଲରେ ଟେଲରଙ୍କ ନାମ ଲିଖିତ ରହିଛି। କେଉଁ ଅବସରରେ ଏହା ପ୍ରଦାନ କରାଯାଉଛି, ତାହା ମଧ୍ୟ ସ୍ପଷ୍ଟ କରାଯାଇଛି। ୩୫ ବର୍ଷୀୟ ଟେଲର ଗତ ମାସରେ ୧୦୦ତମ ଟି୨୦ ଖେଳିଥିଲେ। ଦିନିକିଆ ଫର୍ମାଟରେ ୨୩୧ ମ୍ୟାଚ୍‌ ଖେଳିସାରିଛନ୍ତି। ୨୦୦୭ରେ ସେ ଟେଷ୍ଟ ପଦାର୍ପଣ କରିଥିଲେ। ସେହିବର୍ଷ ହିଁ ପ୍ରଥମ ଦିନିକିଆ ଖେଳିଥିଲେ।

Share