ଟେନିସର ପ୍ରତ୍ୟାବର୍ତ୍ତନ ନେଇ ଆଶାବାଦୀ ନୁହେଁ: ନାଡାଲ

ମାଡ୍ରିଡ,୨୭।୪ (ଏଏଫ୍‌ପି): କରୋନା ଭାଇରସ ସଂକ୍ରମଣ କାରଣରୁ ସାରା ବିଶ୍ୱରେ ଟେନିସ ସମେତ ପ୍ରାୟ ସବୁ କ୍ରୀଡ଼ା ଆୟୋଜନ ଠପ୍‌ ହୋଇଛି। ପୁଣି ଥରେ ବିଶ୍ୱରେ କ୍ରୀଡ଼ା ଆୟୋଜନ କେବେ ଆରମ୍ଭ ହେବ ତାହା ମଧ୍ୟ କହିବା କଷ୍ଟକର। ତେବେ ସ୍ପେନ୍‌ ଟେନିସ ତାରକା ଏ ନେଇ ଆଦୌ ଆଶାବାଦୀ ନାହାନ୍ତି ବୋଲି କହିଛନ୍ତି। ପୁଣି ଥରେ ପେସାଦାର ଟେନିସ ପୂରା ଦମ୍‌ରେ ଆରମ୍ଭ ହେବା ନେଇ ଆଦୌ ଅଶାବାଦୀ ନୁହେଁ ବୋଲି ସେ କହିଛନ୍ତି। ସ୍ପାନିଶ୍‌ ଫେଡେରେଶନ ଅଫ୍‌ ଟେନିସ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେ ଏହା କହିଛନ୍ତି।
ଟେନିସ ଖେଳିବା ବେଳେ ଜଣକୁ ପ୍ରତି ସପ୍ତାହରେ ଭ୍ରମଣ କରିବାକୁ ହୁଏ, ହୋଟେଲରେ ରହିବାକୁ ହୁଏ ଓ ଭିନ୍ନ ଭିନ୍ନ ଦେଶକୁ ମଧ୍ୟ ଯିବାକୁ ପଡିଥାଏ। ବିନା ଦର୍ଶକରେ ଖେଳିଲେ ମଧ୍ୟ ଗୋଟିଏ ଇଭେଣ୍ଟ ଆୟୋଜନ କରିବାକୁ ହେଲେ ବହୁ ଲୋକଙ୍କର ଆବଶ୍ୟକତା ରହିଥାଏ ଓ ଏହା କଦାପି ଅଣଦେଖା କରିହେବ ନାହିଁ। ତେଣୁ ଅନ୍ତର୍ଜାତୀୟସ୍ତରରେ ଏହି ସମସ୍ୟା ବେଶ୍‌ ଗୁରୁତର। ଧିରେ ଧିରେ କଟକଣା ଉଠିବ ବୋଲି ଆଶା କରୁଛି। କିନ୍ତୁ ସାରା ବିଶ୍ୱରେ ସ୍ବାସ୍ଥ୍ୟ ସମସ୍ୟା ବେଶ୍‌ ଗୁରୁତର। ଗତ ଦେଢମାସ ହେବ ଆମେ ବହୁତ କଷ୍ଟକର ସମସ୍ୟାର ସମ୍ମୁଖୀନ ହୋଇଛୁ। ବହୁ ଲୋକଙ୍କ ଜୀବନ ହାନୀ ଘଟିଛି। ଆର୍ଥିକ ଭାବେ ମଧ୍ୟ ଆମେ ବହୁତ କ୍ଷତିର ସମ୍ମୁଖୀନ ହୋଇଛୁ। ବହୁ ଲୋକ ମଧ୍ୟ ଜୀବୀକା ହରାଇଛନ୍ତି। ସବୁ ଦୃଷ୍ଟିରୁ ଆମେ ବହୁତ କ୍ଷତିର ସମ୍ମୁଖୀନ ହୋଇଛୁ। ଆଗାମୀ କିଛି ଦିନ ମଧ୍ୟରେ କୌଣସି ବଡ଼ ଟୁର୍ନାମେଣ୍ଟ ଆୟୋଜନ କରିବା ନିଶ୍ଚିତ ଭାବେ କଷ୍ଟକର ବୋଲି ସେ କହିଛନ୍ତି।
ନିଜ ବନ୍ଧୁ ତଥା ବାସ୍କେଟବଲ ଖେଳାଳି ପାଉ ଗାସୋଲଙ୍କ ସହ ନାଡାଲ କରୋନା ଭାଇରସ ବିରୋଧ ଲଢେଇ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଚେଷ୍ଟିତ ଅଛନ୍ତି। ରୋଜର ଫେଡେରର ଓ ନୋଭାକ ଜୋକୋଭିଚ୍‌ଙ୍କ ସମେତ ନାଡାଲ ପାଣ୍ଠି ସଂଗ୍ରହ ପାଇଁ ପ୍ରୟାସ ଜାରି ରଖିଛନ୍ତି।

Share