ଟେକ୍ସାସ୍‌ରେ ଗୁଳି: ୭ ମୃତ

ହଷ୍ଟନ,୨ା୯(ପି.ଟି.): ଆମେରିକାର ଟେକ୍ସାସରେ ଗୁଳିକାଣ୍ଡ ଘଟି ୭ ଜଣ ନିହତ ହୋଇଥିବାବେଳେ ୨୧ ଆହତ ହୋଇଛନ୍ତି। ଆକ୍ରମଣକାରୀଙ୍କୁ ଟ୍ରାଫିକ୍‌ ଅଧିକାରୀମାନେ ଅଟକାଇବା ପରେ ସେ ଆଖିବୁଜା ଗୁଳି ଚଳାଇଥିଲା। ମିଡ୍‌ଲ୍ୟାଣ୍ଡ ଏବଂ ଓଡେସା ସହରରେ ଏହି ଗୁଳିକାଣ୍ଡ ଘଟିଛି। ପୋଲିସ ଗୁଳିରେ ବନ୍ଧୁକଧାରୀ ନିହତ ହୋଇଛନ୍ତି। ତେବେ ତାଙ୍କର ପରିଚୟ ମିଳିପାରି ନାହିଁ।
ଅଟକାଇଥିବା ଯବାନଙ୍କୁ ପ୍ରଥମେ ସେ ଗୁଳି ଚଳାଇଥିଲେ। ପରେ ଲୋକମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଛି। ସେ ନିଜ କାର ଛାଡ଼ିଦେଇ ଆମେରିକା ପୋଷ୍ଟାଲ ସେବା ବିଭାଗର ଏକ ଭ୍ୟାନକୁ ନେଇଯାଇ ସେଥିରୁ ଗୁଳି ଚଳାଇଥିଲେ। ଆକ୍ରମଣରେ ଦୁଇଜଣ ପୋଲିସ ମଧ୍ୟ ଆହତ ହୋଇଛନ୍ତି। ଆକ୍ରମଣକାରୀ ଦୁଇଜଣ ବୋଲି ପ୍ରଥମେ ପୋଲିସ ସନ୍ଦେହ କରୁଥିଲା। କାରଣ ଯୁବକ ଜଣକ ପ୍ରଥମେ ଧଳା ରଙ୍ଗର ଟୟୋଟା ଓ ପରେ ପୋଷ୍ଟାଲ ସର୍ଭିସ ଭ୍ୟାନ ବ୍ୟବହାର କରିଥିଲେ। ଆକ୍ରମଣକାରୀ ସମ୍ପର୍କରେ ଜାଣିବା ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ତଦନ୍ତ ଜାରି ରହିଛି।

Share