ଟୁଇଟ୍‌ କରି ସହଯୋଗର ହାତ ବଢ଼ାଇଲେ ୩ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୩ା୫(ବ୍ୟୁରୋ): ବାତ୍ୟା ‘ଅମ୍ଫନ୍‌’ ପ୍ରକୋପରୁ ଓଡ଼ିଶା ବର୍ତ୍ତି ଯାଇଥିବାବେଳେ ପଡ଼ୋଶୀ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାତ୍ୟା ସମୀକ୍ଷା ଲାଗି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ରାଜ୍ୟ ଗସ୍ତ କରି ଫେରିଛନ୍ତି। ଅନ୍ୟପଟେ ବାତ୍ୟା ପରବର୍ତ୍ତୀ ସମୟରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ପରସ୍ପରକୁ ସହଯୋଗର ହାତ ବଢ଼ାଇଛନ୍ତି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କ ସହ ଆଲୋଚନା କରିଛନ୍ତି। ସେ ଟୁଇଟ୍‌ କରି ରାଜ୍ୟର କ୍ଷୟକ୍ଷତି ଏବଂ ଲୋକଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏଭଳି ସଙ୍କଟ ସମୟରେ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇ ଦେବା ଲାଗି ଦେଶ ଏକାଠି ହୋଇଛି। ଖୁବ୍‌ଶୀଘ୍ର ଏବଂ ଦୃଢତାର ସହ ବିପତ୍ତିର ମୁକାବିଲା କରିହେବ ବୋଲି ରାଷ୍ଟ୍ରପତି ଜଣାଇଛନ୍ତି। ସେହିପରି ଓଡ଼ିଶା ତରଫରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତାକୁ ରିଟୁଇଟ୍‌ କରି ମମତା ଧନ୍ୟବାଦ ଜଣାଇଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପଶ୍ଚିମବଙ୍ଗ ସହ ଓଡ଼ିଶା ରହିଛି ବୋଲି ନବୀନ ଟେଲିଫୋନରେ ମମତାଙ୍କ ସହ ଆଲୋଚନା କରିଛନ୍ତି। ଅନୁରୂପ ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଧ୍ୟ ଓଡ଼ିଶାକୁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ଟୁଇଟ୍‌ ମାଧ୍ୟମରେ କହିଛନ୍ତି। ସେହିଭଳି ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ, କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ ମଧ୍ୟ ଓଡ଼ିଶାବାସୀ ଏବଂ ପଶ୍ଚିମବଙ୍ଗବାସୀଙ୍କ ସହିତ ରହିଥିବା ଟୁଇଟ୍‌ କରିଛନ୍ତି। ବାତ୍ୟା ଦୁର୍ଗତଙ୍କ ପ୍ରତି ସମବେଦନା ଜଣାଇବା ପରେ ରାଷ୍ଟ୍ରପତି ଏବଂ ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ।