ଟୁଇଟରରେ ଭୂମିଙ୍କୁ ବିବାହ ପ୍ରସ୍ତାବ

ମୁମ୍ବାଇ: ଭୂମି ପାଡନେକର ଆଜିକାଲି ଖୁବ୍‌ ଚର୍ଚ୍ଚାରେ। ତାଙ୍କ ଭର୍ସାଟାଇଲ ଆକ୍ଟିଂ ସାଙ୍ଗକୁ ସିମ୍ପଲ୍‌ ଆଉ ଷ୍ଟାଇଲିଶ୍‌ ଲୁକ୍‌ ଫ୍ୟାନ୍‌ମାନଙ୍କୁ ଆକର୍ଷିତ କରୁଛି। ତେବେ ଭୂମି ଏବେ ନିଜ ଅପ୍‌କମିଂ ଫିଲ୍ମ ‘ପତି, ପତ୍ନୀ ଔର ଓ୍ବ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହା ପୂର୍ବରୁ ତାଙ୍କର ଦୁଇଟି ଫିଲ୍ମ ‘ସୋନ୍‌ଚିଡିଆ’ ଏବଂ ‘ସାଣ୍ଢ୍‌ କି ଅଁାଖ’ ରିଲିଜ୍‌ ହୋଇଥିଲା। ଏହି ଦୁଇଟି ଫିଲ୍ମରେ ସେ ନନ୍‌-ଗ୍ଲାମରସ୍‌ ଲୁକ୍‌ରେ ନଜରକୁ ଆସିଥିଲେ। ହେଲେ ‘ପତି, ପତ୍ନୀ ଔର ଓ୍ବ’ ଫିଲ୍ମରେ ସେ ଷ୍ଟାଇଲିଶ୍‌ ହାଉସ୍‌ଓ୍ବାଇଫ୍‌ ଭୂମିକାରେ ନଜରକୁ ଆସିବେ।
ଭୂମି ଗୋଟିଏ ପରେ ଗୋଟିଏ ଫିଲ୍ମ କରିଚାଲିଛନ୍ତି। ତାଙ୍କ ଅଭିନୟକୁ ମଧ୍ୟ ଖୁବ୍‌ ପ୍ରଶଂସା ମିଳିଚାଲିଛି। ହେଲେ ଏତେ ବ୍ୟସ୍ତତା ଭିତରେ ମଧ୍ୟ ସେ ସୋସିଆଲ ମିଡିଆରେ ଫ୍ୟାନ୍‌ମାନଙ୍କୁ ନିଜ ଅପ୍‌ଡେଟ୍‌ ଦେବାକୁ ଭୁଲନ୍ତି ନାହିଁ। ସେ ପ୍ରାୟତଃ ନିଜର ଗ୍ଲାମ୍‌ ଲୁକ୍‌ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ଏହାରି ଭିତରେ ଟୁଇଟରରେ ଜଣେ ଫ୍ୟାନ୍‌ ତାଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି। ଏନେଇ ଭୂମିଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଫ୍ୟାନ୍‌ ଜଣକ ଲେଖିଛନ୍ତି, “ହାଲୋ ସୁନ୍ଦରୀ ମ୍ୟାଡାମ୍‌। ଆପଣଙ୍କ ଫଟୋ ନ ଦେଖି ମୁଁ ଗୋଟିଏ ଦିନ ମଧ୍ୟ ରହିପାରିବିନି। ଆପଣ ଖୁବ୍‌ ସୁନ୍ଦର। ହୁଏତ ଆପଣ ଜଣେ ସାଧାରଣ ଝିଅ ହୋଇଥାଇପାରନ୍ତି, କିନ୍ତୁ ଆପଣ ଜଣେ ବଡ଼ ସେଲିବ୍ରିଟି। ମୁଁ କେତେ ବି ଭଲ ପାଇଲେ ଆପଣ ଜଣେ ସାଧାରଣ ବ୍ୟକ୍ତିକୁ ବିବାହ କରିବା ସମ୍ଭବ ନୁହେଁ, ସେଥିପାଇଁ ଦୁଃଖ ଲାଗେ।”
ଟୁଇଟରରେ ଫ୍ୟାନ୍‌ଙ୍କ ନିକଟରୁ ଏଭଳି ବିବାହ ପ୍ରସ୍ତାବ ପାଇବା ପରେ ଭୂମି ମଧ୍ୟ ମଜାଦାର ଉତ୍ତର ଦେଇଛନ୍ତି। ସେ ଲେଖିଛନ୍ତି, ସେଲିବ୍ରିଟି ହୁଅନ୍ତୁ ବା ସାଧାରଣ ବ୍ୟକ୍ତି, ବାହାଘର ଚାନ୍ସ ଏବେ ବି କମ୍‌ ରହିଛି। କିନ୍ତୁ ଆପଣ ମୋତେ ମିସ୍‌ କରିବେ, ସେ କଥା ମୁଁ ହେବାକୁ ଦେବିନାହିଁ। ଯଥାସମ୍ଭବ ବଡ଼ ପରଦାରେ ମୁଁ ଆସୁଥିବି ବୋଲି ଭୂମି ଉତ୍ତର ଦେଇଛନ୍ତି। ଏହା ପରେ ଫ୍ୟାନ୍‌ ଜଣକ ପୁଣି ଭୂମିଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା କରି ଜୀବନରେ ମରିବା ପୂର୍ବରୁ ଅନ୍ତତଃ ଥରେ ତାଙ୍କୁ ସାକ୍ଷାତ୍‌ କରିବାର ଇଚ୍ଛା ପ୍ରକାଶ କରିଛନ୍ତି। ଏହା ପରେ ଅନ୍ୟ ଫ୍ୟାନ୍‌ମାନେ ମଧ୍ୟ କମେଣ୍ଟ ଦେବା ଆରମ୍ଭ କରିଦେଇଛନ୍ତି। ଅନ୍ୟପକ୍ଷରେ ଭୂମି, କାର୍ତ୍ତିକ ଆର୍ୟନ ଏବଂ ଅନନ୍ୟା ପାଣ୍ଡେ ଅଭିନୀତ ଫିଲ୍ମ ‘ପତି, ପତ୍ନୀ ଔର ଓ୍ବ’ ଡିସେମ୍ବର ୬ରେ ରିଲିଜ୍‌ ହେବ।

Share