Categories: ଖେଳ

ଟି୨୦ ବିଶ୍ୱକପ୍‌ ଦଳ ସଂଖ୍ୟା ୨୦କୁ ବୃଦ୍ଧି ଲାଗି ଆଇସିସିର ଯୋଜନା

ଲଣ୍ଡନ,୧୩ା୧(ପି.ଟି.)-ଟି୨୦ ବିଶ୍ୱକପ୍‌ରେ ଅଂଶଗ୍ରହଣକାରୀ ଦଳ ସଂଖ୍ୟା ୧୬ରୁ ୨୦କୁ ବୃଦ୍ଧି କରିବା ଲାଗି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଯୋଜନା କରୁଛି। ଗଣମାଧ୍ୟମରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇଛି। ୨୦୨୩ରୁ ୨୦୩୧ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା କ୍ରିକେଟ କ୍ୟାଲେଣ୍ଡର ଭିତରେ ଏହାକୁ କାର୍ଯ୍ୟକାରୀ କରାଯାଇପାରେ। ଫୁଟ୍‌ବଲ ଓ ବାସ୍କେଟବଲ୍‌ ଭଳି କ୍ରିକେଟକୁ ବିଶ୍ୱରେ ଅଧିକ ଲୋକପ୍ରିୟ କରିବା ଲାଗି ଟି ୨୦ ଫର୍ମାଟର ପ୍ରସାର ହିଁ ସର୍ବୋକୃଷ୍ଟ ପନ୍ଥା ବୋଲି ଆଇସିସି କହିଛି। ଏହି କ୍ୟାଲେଣ୍ଡରେ ପ୍ରଥମ ଟି୨୦ ବିଶ୍ୱକପ୍‌ ୨୦୨୪ରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଟି୨୦ ବିଶ୍ୱକପ୍‌ର କଳେବର ବୃଦ୍ଧି ଦ୍ୱାରା ଦର୍ଶକ ସଂଖ୍ୟା ବୃଦ୍ଧି ପାଇବ। ଗ୍ଲୋବାଲ ମଡିଆ ରାଇଟ୍ସ ମାର୍କେଟିଂରେ ପ୍ରବେଶ ପାଇଁ ଆଇସିସିର ପୂର୍ବରୁ ଏଭଳି ଏକ ପ୍ରସ୍ତାବ ରହିଥିଲା। ପ୍ରତିବର୍ଷ ଏହି ଇଭେଣ୍ଟ କରିବା ମଧ୍ୟ ପ୍ରସ୍ତାବ ରହିଥିଲା। ଟୁର୍ନାମେଣ୍ଟର କଳେବର ବୃଦ୍ଧି ଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସଏ) ଏଥିରେ ଭାଗ ନେଇପାରିବେ। ଏହି ଦେଶ ଖେଳ ପାଇଁ ଏକ ବଡ଼ ମାର୍କେଟ। ଖେଳର ପ୍ରସାର ପାଇଁ ଆଇସିସି ପକ୍ଷରୁ ନିକଟରେ ଅନେକ ପ୍ରୟାସ କରାଯାଇଛି। ପୁନଶ୍ଚ କାନାଡ଼ା, ଜର୍ମାନୀ, ନେପାଳ ଏବଂ ନାଇଜେରିଆ ଆଦି ଦେଶ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିପାରିବେ। ଟୁର୍ନାମେଣ୍ଟର ଦଳ ସଂଖ୍ୟା ୨୦କୁ ବୃଦ୍ଧି କରାଗଲେ ଏହି ଫର୍ମାଟ ପାଇଁ ଦୁଇଟି ଫର୍ମାଟ ବିକଳ୍ପ ରହିଛି। ଟି୨୦ ବିଶ୍ୱକପ୍‌ରେ ବର୍ତ୍ତମାନ ଦୁଇ ଥାକିଆ ଫର୍ମାଟ ପ୍ରଚଳିତ ହେଉଛି। ତଦନୁସାରେ ଟପ୍‌ ଦେଶଗୁଡ଼ିକ ସହିତ ମୁଖ୍ୟ ଡ୍ର’ରେ ସାମିଲ ପାଇଁ ଲୋୟର ର଼୍ୟାଙ୍କ ଦଳଗୁଡ଼ିକୁ କ୍ୱାଲିଫାୟର୍ସ ଖେଳିିବାକୁ ହେଉଛି। ଦ୍ୱିତୀୟ ସମ୍ଭାବ୍ୟ ବିକଳ୍ପ ହେଲା ଅଂଶଗ୍ରହଣକାରୀ ୨୦ଟି ଦଳକୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ସମସ୍ତ ଗ୍ରୁପ୍‌ର ଶ୍ରେଷ୍ଠ ଦଳ ନକ୍‌ ଆଉଟ ପର୍ଯ୍ୟାୟକୁ ଯିବେ। ଆଇସିସି ଇତିମଧ୍ୟରେ ଖେଳର ଭବିଷ୍ୟତକୁ ନେଇ ବହୁବାର ଆଲୋଚନା କରିଛି। ତନ୍ମଧ୍ୟରେ ୫ ଦିନିଆ ଟେଷ୍ଟ ମ୍ୟାଚକୁ ୪ଦିନିଆ ବିଶିଷ୍ଟ କରିବା ଅନ୍ୟତମ।

Share