Categories: ଖେଳ

ଟି୨୦ ବିଶ୍ୱକପ୍‌ ଘୁଞ୍ଚିବା ନିଶ୍ଚିତ: ଆସନ୍ତା ସପ୍ତାହରେ ଔପଚାରିକ ଘୋଷଣା

ମୁମ୍ବାଇ,୨୨।୫: ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଘୁଞ୍ଚିବା ଏକପ୍ରକାର ନିଶ୍ଚିତ ହୋଇଛି। ଏହା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ଅକ୍ଟୋବର- ନଭେମ୍ବରରେ ଖେଳାଯିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ତେବେ ଏ ସଂକ୍ରାନ୍ତରେ ଆସନ୍ତା ସପ୍ତାହରେ ଔପଚାରିକ ଘୋଷଣା କରାଯିବା ଆଶା କରାଯାଉଛି। ଏହି ମେଗା ଇଭେଣ୍ଟ ଆୟୋଜନ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଓ ଆୟୋଜକ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସଦୃଶ ହୋଇଛି। ବିଶ୍ୱକପ୍‌ ଏବେ କେବେ ଆୟୋଜନ ହେବ ସେ ନେଇ ଆଇସିସି ଓ ସିଏ ପାଇଁ ବଡ଼ ପ୍ରଶ୍ନ ସଦୃଶ ହୋଇଛି। କିନ୍ତୁ ୩ଟି ବିକଳ୍ପ ଉପରେ ବିଚାର କରାଯାଉଛି।
ପ୍ରଥମ: ଏହି ବିଶ୍ୱକପ୍‌କୁ ଅଷ୍ଟ୍ରେଲିଆ ଫେବୃୟାରୀ- ମାର୍ଚ୍ଚରେ ଆୟୋଜନ କରିବା ନେଇ କୌଣସି ସମସ୍ୟା ନାହିଁ। କିନ୍ତୁ ଅତ୍ୟଧିକ ଟି୨୦ ଖେଳିବାର ସମସ୍ୟା ରହିବ। କାରଣ ଆସନ୍ତାବର୍ଷ ଏପ୍ରିଲ୍‌ରେ ଆଇପିଏଲ୍‌ ଖେଳାଯିବ। ଏଥି ସହିତ ଇଂଲଣ୍ଡର ଭାରତ ଗସ୍ତ ନେଇ ମଧ୍ୟ ସଙ୍କଟ ସୃଷ୍ଟି ହେବ। ପ୍ରସାରଣକାରୀ ସଂସ୍ଥା ମଧ୍ୟ ଏ ନେଇ ଦ୍ୱନ୍ଦ୍ୱରେ ପଡିବେ।
ଦ୍ୱିତୀୟ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ରିକେଟ ଅଷ୍ଟ୍ରେଲିଆ ୨୦୨୧ ଟି୨୦ ବିଶ୍ୱକପ୍‌ ସଂସ୍କରଣ ଆୟୋଜନ କରିବାକୁ ରାଜି କରାଇବ ଓ ୨୦୨୨ରେ ଭାରତରେ ବିସିସିଆଇ ଟି୨୦ ବିଶ୍ୱ ଆୟୋଜନ କରିବ। କିନ୍ତୁ ଅଷ୍ଟ୍ରେଲିଆ ସହିତ ଭାରତ ମଧ୍ୟରେ ଚଳିତ ବର୍ଷ ଶେଷ ଆଡୁକ ବିସିସିଆଇ ଟେଷ୍ଟ ସିରିଜ ଆୟୋଜନ କରିବାକୁ ଚାହୁଁଛି। ପୁଣି ଟି୨୦ ବିଶ୍ୱକପ୍‌କୁ ବିସିସିଆଇ ସୁଇଚ୍‌ ନ କରିବାକୁ କୌଣସି କାରଣ ନାହିଁ ବୋଲି କୁହାଯାଉଛି।
ତୃତୀୟ: ୨୦୨୦ ବିଶ୍ୱକପ୍‌ ବଦଳରେ ଅଷ୍ଟ୍ରେଲିଆ ୨୦୨୨ ବିଶ୍ୱକପ୍‌ ଆୟୋଜନ କରୁ। ଏପରି ହେଲେ ଆଇସିସି ଓ ଅନ୍ୟ ପ୍ରୟ ସବୁ ଖେଳାଳିଙ୍କୁ ସୁହାଇବ। ଚଳିତ ବର୍ଷ ଆୟୋଜନ ହେବାକୁଥିବା ଟି୨୦ ବିଶ୍ୱକପ୍‌ ଘୁଞ୍ଚାଯିବା ଘୋଷଣା ୨୬ରୁ ୨୮ ମାର୍ଚ୍ଚ ସୁଦ୍ଧା ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ଏସଂକ୍ରାନ୍ତରେ ଆଇସିସିର ସଦସ୍ୟ ବୋର୍ଡ ମଧ୍ୟରେ ଟେଲିକନ୍‌ଫରେନ୍ସ ମଧ୍ୟ ଆଲୋଚନ ହେବ। ଆଇସିସି ବୈଠକରେ ମୋଟ ଉପରେ ୩ଟି ପ୍ରସଙ୍ଗ ଉପରେ ଆଲୋଚନା ହେବ। ପ୍ରଥମ ପ୍ରସଙ୍ଗ ହେଲା ଟି୨୦ ବିଶ୍ୱକପ୍‌କୁ ଘୁଞ୍ଚାଯିବାଙ୍‌। ଦ୍ୱିତୀୟ ହେଲା ନୂଆ ଅଧ୍ୟକ୍ଷ ନିର୍ବାଚନ ନେଇ ଅନ୍ତିମ ତାରିଖ ଧାର୍ଯ୍ୟ କରିବା ଓ ତୃତୀୟ ହେଳା ନିର୍ବାଚନ ତାରିଖ ଓ ପ୍ରକ୍ରିୟା ନେଇ ନିଷ୍ପତ୍ତି ନେବା।

Share