ଟି୨୦ ବିଶ୍ୱକପ୍‌ ଉଚିତ ସମୟରେ ଆୟୋଜନ ହେବା ଆବଶ୍ୟକ: ଆକ୍ରମ

କରାଚୀ, ୫।୬(ପି.ଟି.): ସାରା ବିଶ୍ୱରେ କୋଭିଡ୍‌- ୧୯ ମହାମାରୀର ଆତଙ୍କ ଜାରି ରହିଥିବା ବେଳେ ଟି୨୦ ବିଶ୍ୱକପ୍‌ ଆୟୋଜନ ନେଇ ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ଓ୍ବାସିମ ଆକ୍ରମ ନିଜ ମତ ପ୍ରକାଶ କରିଛନ୍ତି। ଉଚିତ ସମୟରେ ଏହି ମେଗା ଇଭେଣ୍ଟ ଆୟୋଜନ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। ଏଥିପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଧୈର୍ଯ୍ୟର ସହ ଅପେକ୍ଷା କରିବା ଉଚିତ ବୋଲି ସେ କହିଛନ୍ତି। ରୁଦ୍ଧଦ୍ୱାରରେ ବିନା ଦର୍ଶକରେ ଟି୨୦ ବିଶ୍ୱକପ୍‌ ଆୟୋଜନକୁ ସେ ନାପସନ୍ଦ କରିଛନ୍ତି।
ଆସନ୍ତା ଅକ୍ଟୋବର- ନଭେମ୍ବରରେ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ କରୋନା ଭାଇରସ୍‌ ସଂକ୍ରମଣ ପାଇଁ ଜାରି କରାଯାଇଥିବା ଭ୍ରମଣ ଜନିତ କଟକଣା ପାଇଁ ସ୍ଥଗିତ କରାଯିବ ବୋଲି ଅନୁମାନ କରାଯାଉଛି। ଦର୍ଶକ ବିନା କ୍ରିକେଟ ବିଶ୍ୱକପ୍‌ର କିଛି ମାନେ ନାହିଁ ବୋଲି ଆକ୍ରମ ‘ଦି ନ୍ୟୁଜ୍‌’କୁ ସାକ୍ଷାତ୍‌କାର ଦେଇ କହିଛନ୍ତି। ବିଶ୍ୱକପ୍‌ରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହିଥାନ୍ତି। ବିଶ୍ୱର ବିଭିନ୍ନ ଦେଶରୁ ପ୍ରଶଂସକମାନେ ନିଜ ଦଳକୁ ସମର୍ଥନ କରିବା ପାଇଁ ଏହି ମେଗା ଇଭେଣ୍ଟ ଦେଖିବାକୁ ଆସିଥାନ୍ତି। ତେଣୁ ବିଶ୍ୱକପ୍‌ ବେଳେ ଏକ ବୈଦ୍ୟୁତିକ ପରିବେଶ ସୃଷ୍ଟି ହୋଇଥାଏ ଓ ଏହା ଇଭେଣ୍ଟର ଚମକ ବଢାଇଥାଏ। ତେଣୁ ରୁଦ୍ଧଦ୍ୱାରରେ ବିଶ୍ୱକପ ଆୟୋଜନ କରିବାର କିଛି ମାନେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଆସନ୍ତା ୧୦ ତାରିଖରେ ଆୟୋଜନ ହେବାକୁ ଥିବା ବୋର୍ଡ ବୈଠକରେ ଆଇସିସି ଟି୨୦ ବିଶ୍ୱକପ୍‌ ସମ୍ପର୍କରେ ନିଷ୍ପତ୍ତି ନେବାର କାର୍ଯ୍ୟକ୍ରମ ରହିଛି। ତେବେ ଆଇସିସି ଅଧିକ ସମୟ ଅପେକ୍ଷା କରିବା ଉଚିତ। ମହାମାରୀର ପ୍ରକୋପ କମିବା ପରେ ଓ ବିଭିନ୍ନ କଟକଣା ଉଠିଯିବା ପରେ ବିଶ୍ୱକପ୍‌ ନେଇ ଆଇସିସି ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ଆକ୍ରମ କହିଛନ୍ତି। କିଛିଦିନ ତଳେ ବଲ୍‌ରେ ଲାଳ ନ ଲଗାଇବାକୁ ଆଇସିସି କ୍ରିକେଟ କମିଟି ନିଷ୍ପତ୍ତି ନେଇଥିଲା। ପୁଣି ଏଥିରେ କୌଣସି କୃତ୍ରିମ ପଦାର୍ଥ ମଧ୍ୟ ବ୍ୟବହାର ନ କରିବାକୁ କମିଟି ଘୋଷଣା କରିଥିଲା। ତେବେ ବଲ୍‌ରେ ଝାଳ ଲଗାଇବା ନେଇ କମିଟି ବାରଣ କରି ନ ଥିଲା। ଏହା ଯଥେଷ୍ଟ ନୁହେଁ ଓ ଏ ନେଇ ଏକ ପ୍ରକୃତ ସମାଧାନର ଆବଶ୍ୟକତା ରହିଛି ବୋଲି ଆକ୍ରମ ସ୍ପଷ୍ଟ କରିଛନ୍ତି।

Share