ଟିଟୋଙ୍କ ସହଯୋଗୀ ଡାଙ୍ଗ ଗିରଫ: କେନ୍ଦ୍ରାପଡ଼ାର ହୋଟେଲରୁ ଧରିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ଗ୍ୟାଙ୍ଗଷ୍ଟର ଟିଟୋଙ୍କ ଡାହାଣ ହାତ କୁହାଯାଉଥିବା ସେକ୍‌ ଜାବିଦ୍‌ ଓରଫ ଡାଙ୍ଗଙ୍କୁ ଏସ୍‌ଟିଏଫ୍‌ ଶନିବାର ସକାଳେ କେନ୍ଦ୍ରାପଡ଼ାର ଏକ ହୋଟେଲରୁ ଗିରଫ କରିଛି। ଡାଙ୍ଗଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଡାଙ୍ଗଙ୍କ ଘର କେନ୍ଦ୍ରାପଡ଼ା ଟାଉନର ଇମାମବାଦ ମସଜିଦ ଗଳିରେ ହୋଇଥିବାବେଳେ ସେ ଠିକାଦାର ଶିବପ୍ରସାଦ ପରିଡ଼ାଙ୍କ ଅପହରଣ ଘଟଣାର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ାର ଠିକାଦାର ଶିବପ୍ରସାଦଙ୍କୁ ଟିଟୋ ୩କୋଟି ଟଙ୍କା ଦାଦାବଟି ମାଗିଥିଲେ। ଶିବପ୍ରସାଦ ଏତେ ଟଙ୍କା ଦେବାକୁ ମନା କରିବାରୁ ଟିଟୋ କ୍ଷୁବ୍ଧ ହୋଇଯାଇଥିଲେ। ଶିବପ୍ରସାଦଙ୍କୁ ଅପହରଣ ପାଇଁ ସେ ଡାଙ୍ଗଙ୍କୁ କହିଥିଲେ। ୨୦୧୭ ସେପ୍ଟେମ୍ବର ୯ରେ ଡାଙ୍ଗ ଶିବପ୍ରସାଦଙ୍କୁ ତାଙ୍କ ଅଫିସରୁ ଅପହରଣ କରି ନେଇଥିଲେ। ଟଙ୍କା ନ ଦେବା ପର୍ଯ୍ୟନ୍ତ ମୁଣ୍ଡ ଜାମିନ୍‌ ରଖି ମାଡ଼ ମାରିଥିଲେ। ଶିବପ୍ରସାଦଙ୍କ ପରିବାର ଲୋକେ ଟଙ୍କା ଆଣି ଦେବା ପରେ ଡାଙ୍ଗ ତାଙ୍କୁ ଛାଡ଼ିିଥିଲେ। ତେବେ ଥାନାକୁ ଗଲେ କିମ୍ବା ପୋଲିସକୁ ଜଣାଇଲେ ଜୀବନରୁ ମାରିଦେବାକୁ ଡାଙ୍ଗ ଧମକ ଦେଇଥିଲେ। ଫଳରେ ଶିବପ୍ରସାଦ ଥାନାରେ ଅଭିଯୋଗ କରି ନ ଥିଲେ। ତେବେ ଟିଟୋଙ୍କୁ ଏସ୍‌ଟିଏଫ୍‌ ଗିରଫ କରିବା ପରେ ଶିବପ୍ରସାଦ ଡାଙ୍ଗଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଡାଙ୍ଗ ଗିରଫ ଭୟରେ କୋଲକାତା ପଳାଇ ଯାଇଥିଲେ। କିଛି ଦିନ ତଳେ ସେ କେନ୍ଦ୍ରାପଡାକୁ ଫେରିଥିଲେ। ଏ ସଂକ୍ରାନ୍ତରେ ଏସ୍‌ଟିଏଫ୍‌ ତଦନ୍ତକାରୀ ଅଧିକାରୀ ଖବର ପାଇଥିଲେ। ଏହାପରେ ଡାଙ୍ଗଙ୍କୁ ଧରିବା ପାଇଁ ଏକ ଟିମ୍‌ ଶୁକ୍ରବାର ରାତିରେ କେନ୍ଦ୍ରାପଡ଼ା ଯାଇଥିଲା। ଡାଙ୍ଗ ଏକ ହୋଟେଲରେ ଲୁଚିଥିବା ବେଳେ ଏସ୍‌ଟିଏଫ୍‌ ଚଢାଉ କରି ତାଙ୍କୁ ଗିରଫ କରିଥିଲା।