‘ଟାଇମ୍ସ’ ହାୟର ଏଜୁକେଶନ ୱାର୍ଲଡ୍‌ ର଼୍ୟାଙ୍କିଙ୍ଗ୍‌ରେ ସୋଆ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ) : ‘ଟାଇମ୍ସ’ ହାୟର ଏଜୁକେଶନ ୱାର୍ଲଡ୍‌ ର଼୍ୟାଙ୍କିଙ୍ଗ୍‌ରେ ପୁଣି ସ୍ଥାନ ପାଇଛି ସୋଆ ବିଶ୍ୱବିଦ୍ୟାଳୟ। ପୂର୍ବ ଭାରତରେ ସୁଖ୍ୟାତି ଅର୍ଜନ କରିଥିବା ସୋଆ ବିଶ୍ୱବିଦ୍ୟାଳୟ ସ୍ବାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଟାଇମ୍ସ ହାୟର ଏଜୁକେଶନ ୱାର୍ଲଡ୍‌ ରାଙ୍କିଙ୍ଗ୍‌ରେ ଭାରତରୁ ମନୋନୀତ ୯ ପ୍ରମୁଖ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ଲାଭ କରିପାରିଛି। ରାଙ୍କିଙ୍ଗ୍‌ରେ ବିଶ୍ୱର ୭୭୫ ଉଚ୍ଚ ଶିକ୍ଷାନୁଷ୍ଠାନକୁ ନେଇ ଅନୁଧ୍ୟାନ କରିବା ପରେ ସୋଆକୁ ୬୦୧ ପ୍ଲସ କ୍ୟାଟେଗୋରିରେ ସ୍ଥାନିତ କରାଯାଇଛି। ସମଗ୍ର ପୂର୍ବ ଭାରତରେ କେବଳ ସୋଆ ହିଁ ଏହି ତାଲିକାରେ ସ୍ଥାନ ପାଇପାରିଛି। ସେହିଭଳି ତାଲିକାଭୁକ୍ତ ଭାରତର ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ହେଲା ଅମୃତା ବିଶ୍ୱ ବିଦ୍ୟାପୀଠମ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ମନିପାଲ ଏକାଡେମୀ ଅଫ୍‌ ହାୟର ଏଜୁକେଶନ, ପଞ୍ଜାବ ବିଶ୍ୱବିଦ୍ୟାଳୟ, ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ, ଆମିଟୀ ବିଶ୍ୱବିଦ୍ୟାଳୟ, ଆନ୍ନାମାଲାଇ ବିଶ୍ୱବିଦ୍ୟାଳୟ ଓ ଏସଆର୍‌ଏମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲଜି। କିଛିଦିନ ପୂର୍ବରୁ ସୋଆ ଡିମ୍‌ଡ ବିଶ୍ୱବିଦ୍ୟାଳୟର ଫ୍ୟାକଲଟି ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲଜିକୁ ଟାଇମ୍ସ ହାୟର ଏଜୁକେଶନ ବିଶ୍ୱ ରାଙ୍କିଙ୍ଗ୍‌ରେ ୬୦୧-୮୦୦ କ୍ୟାଟେଗୋରିରେ ସ୍ଥାନ ମିଳିଥିବାବେଳେ ଫ୍ୟାକଲଟି ଅଫ୍‌ କମ୍ପ୍ୟୁଟର ସାଇନ୍ସକୁ ୬୦୧ ପ୍ଲସ କ୍ୟାଟେଗୋରିରେ ସ୍ଥାନିତ କରାଯାଇଥିଲା।