Categories: ମେଟ୍ରୋ

ଟଙ୍କା ପାଇଁ ସାଢ଼େ ୬ଘଣ୍ଟା ଅପେକ୍ଷାକଲେ ହିତାଧିକାରୀ

ଗୋପ, ୨୦।୬(ଡିି.ଏନ୍‌.ଏ.)-ସରକାରଙ୍କ ପକ୍ଷରୁ ରାସନକାର୍ଡ଼ଧାରୀଙ୍କୁ ମିଳିବାକୁ ଥିବା ଫନୀ ସହାୟତା ରାଶି ପାଇଁ ହିତାଧିକାରୀଙ୍କୁ ସାଢ଼େ ୬ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ଏହିଭଳି ଘଟଣା ସାମ୍ନାକୁ ଆସିଛି ଗୋପ ବ୍ଲକରେ। ଗୁରୁବାର ବ୍ଲକର ୩୧ପଞ୍ଚାୟତର ହିତାଧିକାରୀ ବାତ୍ୟା ସହାୟତା ରାଶି ୧୦୦୦ ଟଙ୍କା ପାଇବାକୁ ଆସି ନିରାଶ ହୋଇଥିଲେ। ଅପରାହ୍ନରେ ମାତ୍ର କେଇ ଜଣଙ୍କୁ ଏହି ସହାୟତା ରାଶି ମିଳିଥିବାବେଳେ ୮୦ଭାଗ ହିତାଧିକାରୀ ନିରାଶରେ ଫେରିବା ଭଳି ଅଭିଯୋଗ ହୋଇଛି।
ଗୋପ ବ୍ଲକର ୩୧ଗୋଟି ଗ୍ରାମ ପଞ୍ଚାୟତରେ ଥିବା ୩୬, ୩୨୩ ଜଣ ହିତାଧିକାରୀଙ୍କୁ ପୂର୍ବରୁ ଫନୀ ଲାଗି ୨୦୦୦ ଟଙ୍କା ସହ ୫୦ କିଲୋ ଚାଉଳ ମିଳିଥିଲା। ମାତ୍ର ପରେ ସରକାରଙ୍କ ପକ୍ଷରୁ ପୁରୀ ଜିଲା ପାଇଁ ଆଉ ଅଧିକ ଏକ ହଜାର ଟଙ୍କା ଦିଆଯିବା ଲାଗି ସୂଚନା ଦିଆଯାଇଥିଲା। କିନ୍ତୁ ହିତାଧିକାରୀମାନେ ଟଙ୍କା ପାଇଁ ଆସି ନିରାଶରେ ଫେରିଥିଲେ। ପୁନର୍ବାର ବ୍ଲକ ପକ୍ଷରୁ ଗୁରୁବାର ଏହି ଟଙ୍କା ବଣ୍ଟାଯିବା ଲାଗି ସୂଚନା ଦିଆଯାଇଥିଲା। ଗୁରୁବାର ସକାଳୁ ପ୍ରବଳ ବର୍ଷା ସତ୍ତ୍ୱେ ହିତାଧିକାରୀମାନେ ଏହି ସହାୟତା ରାଶି ପାଇବା ଲାଗି ଲମ୍ବା ଧାଡ଼ିରେ ଠିଆ ହୋଇଥିଲେ। ଏ ସମ୍ପର୍କରେ ଗୋପ ବିଡିଓ ଦୀପ୍ତିରାଣୀ ଦାସଙ୍କୁ ପଚାରିବାରେ ବ୍ୟାଙ୍କର ଅବହେଳା ଯୋଗୁ ଟଙ୍କା ଆସିବାରେ ବିଳମ୍ବ ହୋଇଥିଲା। ଫଳରେ ଅଧିକାଂଶ ହିତାଧିକାରୀ ଟଙ୍କା ପାଇପାରି ନ ଥିଲେ। ଶୁକ୍ରବାର ଏହି ଟଙ୍କା ବଣ୍ଟନ କରାଯିବ ବୋଲି ସେ କହିଥିଲେ।