ଟଙ୍କା ନ ଦେବାରୁ ଯୁବ ବ୍ୟବସାୟୀଙ୍କୁ ଖୁର ମାଡ : ୪୦ ହଜାର ଟଙ୍କା ଲୁଟ୍‌ ଅଭିଯୋଗ

ବାଲେଶ୍ୱର ଅଫିସ,୧୫।୬: ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ କଣ୍ଟାବଣିଆ ଗ୍ରାମର ଦିଲୀପ ବେହେରା (୨୬) ନାମକ ଯୁବ ବ୍ୟବସାୟୀ ଶୁକ୍ରବାର ରାତି ୧୧ଟା ବେଳେ ନିଜ ଇଟାଭାଟିରୁ ଘରକୁ ଫେରୁଥିବା ବେଳେ ଶିବ ମନ୍ଦିର ପାଖରେ ଆକ୍ରମଣର ଶିକାର ହୋଇଥିଲେ। କେତେକ ଯୁବକ ଟଙ୍କା ଦେବାକୁ ବାଧ୍ୟ କରିଥିଲେ। ସେ ନ ଦେବାରୁ ତାଙ୍କୁ ଖୁରରେ ଆକ୍ରମଣ କରି ତାଙ୍କ ପାଖରେ ଥିବା ୪୦ ହଜାର ଟଙ୍କା ଲୁଟି ନେଇଥିବା ସହଦେବଖୁଣ୍ଟା ଥାନାରେ ଅଭିଯୋଗ ହୋଇଛି।
ଦିଲୀପ ଶୁକ୍ରବାର ରାତିରେ ଫେରୁଥିବା ବେଳେ ଉକ୍ତ ଗ୍ରାମର ଦୀପୁ ଦାସ, ବୀନ ଦାସ, ବାପୁନ ଦାସ, ଦେବେନ୍ଦ୍ର ଦାସ ତାଙ୍କୁ ଅଟକାଇ ଟଙ୍କା ମାଗିଥିଲେ। ଦିଲୀପ କାରଣ ପଚାରିବାରୁ ତାଙ୍କ ବେକରେ ଖୁର ଲଗାଇଥିଲେ। ସେ ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା। ଖୁର ବେକରୁ ଖସି ଆସି ଛାତି ତଳେ ଲାଗିଯିବାରୁ ଦିଲୀପ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବାରୁ ଆକ୍ରମଣକାରୀମାନେ ପଳାଇଥିଲେ। ଗୁରୁତର ଆହତ ଦିଲୀପଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଏ ନେଇ ସହଦେବଖୁଣ୍ଟା ଥାନାରେ ଏକ ମାମଲା (ନଂ.୧୬୦/୧୯) ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଆଇଆଇସି ଶୁଭ୍ରାଂଶୁ ନାୟକ କହିଛନ୍ତି।