Categories: ଖେଳ

ଟାଇଟଲ ବଜାୟ ଲକ୍ଷ୍ୟରେ ବେଙ୍ଗାଲୁରୁ ଏଫ୍‌ସି

ବେଙ୍ଗାଲୁରୁ, ୨୦ା୧୦ (ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ)ରେ ଗତଥରର ଚାମ୍ପିୟନ ବେଙ୍ଗାଲୁରୁ ଏଫ୍‌ସି ଏହାର ପ୍ରଥମ ମ୍ୟାଚ ସୋମବାର ନର୍ଥଇଷ୍ଟ ୟୁନାଇଟେଡ୍‌ ବିପକ୍ଷରେ ଖେଳିବ। ଭାରତର ଘରୋଇ ଫୁଟ୍‌ବଲ ଇତିହାସରେ ସ୍ଥିର ପ୍ରଦର୍ଶନ କରିଆସୁଥିବା ଏହି ଦଳରେ ଅଧିନାୟକ ସୁନୀଲ ଛେତ୍ରୀଙ୍କ ସମେତ ଭାରତର ୫ ଅନ୍ତର୍ଜାତୀୟ ଖେଳାଳି ରହିଛନ୍ତି। କ୍ରମାଗତ ୩ଥର ଆଇ-ଲିଗ୍‌ ସଫଳତା ପରେ ଏହି ଦଳ ୨୦୧୭ରେ ଆଇଏସଏଲରେ ଯୋଗଦାନ କରିଛି। ପ୍ରତିଯୋଗିତାରେ ଦଳର ପ୍ରଦର୍ଶନ ଖୁବ୍‌ ଭଲ ରହି ଆସିଛି। ସ୍ପାନିଶ କୋଚ୍‌ ଅଲବର୍ଟ ରୋକାଙ୍କ ତତ୍ତ୍ୱାବଧାନରେ ବେଙ୍ଗାଲୁରୁ ଏଫ୍‌ସି ଏହାର ପ୍ରଥମ ସିଜନରେ ପ୍ରଭାବୀ ପ୍ରଦର୍ଶନ କରିଥିଲା। ଦଳ ଲିଗ୍‌ ପର୍ଯ୍ୟାୟ ଷ୍ଟାଣ୍ଡିଂରେ ଶୀର୍ଷ ସ୍ଥାନ ଅଧିକାର କରିଥିଲା, କିନ୍ତୁ ଫାଇନାଲରେ ଦୁର୍ଭାଗ୍ୟଜନକ ଭାବେ ଚେନ୍ନାଇନ୍‌ ଏଫ୍‌ସିଠାରୁ ହାରିଯାଇଥିଲା। ପରବର୍ତ୍ତୀ ସିଜନ ୨୦୧୮ରେ ଏଫ୍‌ସି ଗୋଆକୁ ପରାସ୍ତ କରି ବେଙ୍ଗାଲୁରୁ ଦଳ ଟାଇଟଲ ବିଜୟୀ ହୋଇଥିଲା। ଦଳ ୨୦୧୯ ସିଜନ ପାଇଁ ଏହାର ପ୍ରମୁଖ ଖେଳାଳିଙ୍କୁ ବଜାୟ ରଖିଥିବାବେଳେ କେତେଜଣ ନୂଆ ଖେଳାଳିଙ୍କୁ ଆଣିଛି। ସେମାନଙ୍କ ମଧ୍ୟରେ ଭାରତ ମିଡ୍‌ ଫିଲ୍ଡର ଆଶିକ୍‌ କୁରୁନିୟାନ ଅନ୍ୟତମ। ଛେତ୍ରୀ ଏବଂ ଉଦାନ୍ତ ସିଂ ପରେ କୁରୁନିୟାନଙ୍କ ଯୋଗଦାନ ଦ୍ୱାରା ଦଳ ଆଟାକିଂ ଲାଇନ୍‌ ଅଧିକ ଶକ୍ତିଶାଳୀ ହୋଇଛି। ଭାରତ ତରଫରୁ ଖେଳୁଥିବା ଗୁରପ୍ରୀତ ସିଂ ସାନ୍ଧୁ, ରାହୁଲ ଭେକେ ମଧ୍ୟ ଏହି ଦଳରେ ରହିଛନ୍ତି। ଗତ ସିଜନରେ ଦୁଇ ଲେଗ୍‌ ବିଶିଷ୍ଟ ପ୍ଲେ-ଅଫ୍‌ରେ ନର୍ଥ ଇଷ୍ଟ ୟୁନାଇଟେଡ୍‌କୁ ପରାସ୍ତ କରି ବେଙ୍ଗାଲୁରୁ ଫାଇନାଲରେ ପ୍ରବେଶ କରିଥିଲା। ତେବେ ସୋମବାର ମ୍ୟାଚରେ ଏହି ଦଳକୁ ହରାଇବା ସହଜ ହୋଇ ନ ପାରେ। ଗତ ସିଜନରେ ଖେଳିଥିବା କେତେଜଣ ପ୍ରମୁଖ ଖେଳାଳି ଦଳ ଛାଡ଼ି ଚାଲିଯାଇଥିଲେ ମଧ୍ୟ ନର୍ଥଇଷ୍ଟ ୟୁନାେଇଟେଡ୍‌ କେତେଜଣ ହାଇ ପ୍ରୋଫାଇଲ ଖେଳାଳିଙ୍କ ସହିତ ଚୁକ୍ତି କରିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଘାନାର ଆସାମୋଆ ଜ୍ଞାନ୍‌ ବେଙ୍ଗାଲୁରୁ ମୁଖ୍ୟ କୋଚ୍‌ କାର୍ଲସ କ୍ୱାଡ୍ରାଟ୍‌ କହିଛନ୍ତି, ଆଇଏସଏଲ ଏପର୍ଯ୍ୟନ୍ତ କୌଣସି ଦଳ ଟାଇଟଲ ବଜାୟ ରଖିବାରେ ସଫଳ ହୋଇ ନ ଥିବା ଦେଖା ଦେଖାଯାଇଛି। ତେଣୁ ପ୍ରଥମେ ପ୍ଲେ-ଅଫ୍‌ରେ ପ୍ରବେଶ ପ୍ରତି ଧ୍ୟାନ ଦେବାକୁ ମୁଁ ମୋ ଖେଳାଳିମାନଙ୍କୁ ପରାମର୍ଶ ଦେଇଛି। ଅନ୍ୟପକ୍ଷରେ ସୋମବାର ଶ୍ରୀ କାନ୍ତିରାଭା ଷ୍ଟାଡିୟମରେ ସେମାବାର ଖେଳାଯିବାକୁ ଥିବା ମ୍ୟାଚରେ ତାଙ୍କ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବ ବୋଲି ନର୍ଥଇଷ୍ଟ ୟୁନାଇଟେଡର ନୂଆ କୋଚ୍‌ ରବର୍ଟ ଜାର୍ନି ଆଶା ପ୍ରକାଶ କରି କହିଛନ୍ତି।

Share