ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ସଜନାଗଡ଼,୧୯।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଜଙ୍ଗଲରୁ ମଙ୍ଗଳବାର ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ସେ ହେଲେ ବରହମପୁର ଥାନା ଅଧୀନ କେସିପୁର ପଞ୍ଚାୟତ ତରତରି ଗ୍ରାମର କାଳିନ୍ଦି ମାରାଣ୍ଡିଙ୍କ ଝିଅ ରଶ୍ମି। ମଙ୍ଗଳବାର କାଳବୈଶାଖୀ ପରେ ଜଙ୍ଗଲରୁ ଦୁର୍ଗନ୍ଧ ବାହାରିଥିଲା। ଲୋକେ ଜଙ୍ଗଲ ଭିତରେ ପଶି ଗଛ ଡ଼ାଳରେ ଝିଅଟିର ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଝିଅକୁ ଚିହିଁଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାରକରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବୁଧବାର ସକାଳେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ଥାନାରେ ୧୦/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ନାହିଁ।
ପ୍ରକାଶ ଯେ, ରଶ୍ମି ଯୁକ୍ତ ୨ ଦ୍ୱିତୀୟ ବର୍ଷର କଳା ଛାତ୍ରୀ ଥିଲେ। ଶନିବାରଠାରୁ ସେ ନିଖୋଜ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ଝିଅକୁ ପାଇ ନ ଥିଲେ।