ଝିଅର ପୋଲ୍‌ ଖୋଲିଲେ ଅମିତାଭ ବଚ୍ଚନ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡପତି ୧୩’ର ହୋଷ୍ଟିଂ କରୁଛନ୍ତି। ପ୍ରତ୍ୟେକ ସିଜିନ୍‌ ପରି ଚଳିତ ସିଜିନ୍‌ ମଧ୍ୟ ଚର୍ଚ୍ଚାରେ ରହୁଛି। ଏହି ପୁରା ସପ୍ତାହରେ ‘କେବିସି ୧୩’ ଟିମ କରୋନା ମହାମାରୀ ସମୟରେ ନିଃସ୍ବାର୍ଥପର କାର୍ଯ୍ୟ ପାଇଁ ଡାକ୍ତର ଏବଂ ନର୍ସମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ମଙ୍ଗଳବାର ଏହି ଶୋ’ରେ ଅମିତାଭ ବଚ୍ଚନ ପ୍ରକାଶ କରିଛନ୍ତି ଯେ ତାଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା ଇଞ୍ଜେକ୍ସନକୁ ଡରୁଛନ୍ତି।
ଚଳିତ ସପ୍ତାହର ଏକ ଏପିସୋଡରେ ରାଜସ୍ଥାନର ସବିତା ଭାଟି ହଟ ସିଟରେ ବସିଥିଲେ। ସବିତା ବୃତ୍ତିରେ ଜଣେ ନର୍ସ। ସବିତା ହଟ୍‌ ସିଟ୍‌ରେ ବସି କହିଥିଲେ ଜଣେ ନର୍ସ ହୋଇଥିଲେ ମଧ୍ୟ ସେ ଇଞ୍ଜେକ୍ସନକୁ ବହୁତ ଭୟ କରନ୍ତି। ଏହା ଶୁଣି ଅମିତାଭ ହସିଲେ। ତା’ପରେ ସେ ତାଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦଙ୍କ ମଜାଳିଆ କାହାଣୀ ବର୍ଣ୍ଣନା କରିଥିଲେ। ସେ କହିଥିଲେ ମୋ ଝିଅ ମଧ୍ୟ ଇଞ୍ଜେକନକୁ ବହୁତ ଭୟ କରନ୍ତି। ଯଦି ସେ ଦୂରରୁ ମଧ୍ୟ ଇଞ୍ଜେକ୍ସନର ନାମ ଶୁଣନ୍ତି, ତେବେ ସେ ଏତେ ଭୟଭୀତ ହୁଅନ୍ତି ଯେ ସେ ଅନ୍ୟ କୋଠରୀକୁ ଦୌଡ଼ନ୍ତି।
ଏହି ଏପିସୋଡରେ ଅମିତାଭ ମଧ୍ୟ ତାଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କ ସହ ଜଡିତ ଏକ କଥା ସବିତାଙ୍କ ସହ ଶେୟାର କରିଥିଲେ। ସେ କହିଥିଲେ, ଅସୁସ୍ଥ ଥିବାବେଳେ ତାଙ୍କ ପିତାଙ୍କ ଯତ୍ନ ନେବା ପାଇଁ ଜଣେ ନର୍ସଙ୍କୁ ନିଯୁକ୍ତି ଦିଆଯାଇଥିଲା। ସେ ଦିନରାତି ତାଙ୍କର ଯତ୍ନ ନେଉଥିଲେ। ମୋ ବାପାଙ୍କ ମୃତ୍ୟୁ ପରେ ସେ ଏତେ ଭାଙ୍ଗିପଡିଥିଲେ ଯେ ସେ ଅନ୍ୟର ନର୍ସ ଭାବରେ କାମ କରିବାକୁ ମନା କରିଦେଇଥିଲେ। ମୋ ମା ଅସୁସ୍ଥ ହୋଇପଡିଥିଲେ, ତେଣୁ ଆମେ ପୁନର୍ବାର ସେହି ନର୍ସଙ୍କୁ ଡାକିଥିଲୁ, କିନ୍ତୁ ସେ ମନା କରିଦେଲେ ବୋଲି କହିଥିଲେ ଅମିତାଭ।
ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ୧୯୯୭ ମସିହାରେ କରୀନା କପୁରଙ୍କ ଏବଂ କରିସ୍ମା କପୁରଙ୍କ ପିଉସୀଙ୍କ ପୁଅ ନିଖିଲ ନନ୍ଦାଙ୍କୁ ବିବାହ କରିଥିଲେ। ଶ୍ୱେତା ଏବଂ ନିଖିଲଙ୍କର ଦୁଇଟି ସନ୍ତାନ ଅଛନ୍ତି। ଝିଅ ନାଭିଆ ଏବଂ ଅଗସ୍ତ୍ୟ। ଅମିତାଭ ଅନେକ ସମୟରେ ସୋସିଆଲ ମିଡିଆରେ ନାତି ଏବଂ ନାତୁଣୀଙ୍କ ସହ ଫଟୋ ଶେୟାର କରନ୍ତି।

Share