ଝିଅଙ୍କୁ କପି ଦେବାକୁ ଯାଇ ସ୍କୁଲ ପାଚେରିରୁ ଖସିପଡ଼ିଲେ ବାପା, ନାକ ଫାଟିଲା

ପରଜଙ୍ଗ,୨୨।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ ଗଡ଼ପଳାଶୁଣି ହାଇସ୍କୁଲରେ ଶନିବାର ମାଟ୍ରିକ୍‌ ପରୀକ୍ଷା ଚାଲିଥିଲା। ଏହି ସମୟରେ କପି ଦେବାକୁ ଯାଇଥିବା ଜଣେ ବ୍ୟକ୍ତି ସ୍କୁଲ ପାଚେରିରୁ ଖସି ପଡ଼ି ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଫାଣ୍ଡି ଅଧୀନ ପଥରଗଡ଼ ଗ୍ରାମର ଡମ୍ବରୁ ସାହୁ।

ସୂଚନାଯୋଗ୍ୟ, ଗଡ଼ପଳାଶୁଣି ହାଇସ୍କୁଲରେ ଡମ୍ବରୁଙ୍କ ଝିଅ ମାଟ୍ରିକ୍‌ ପରୀକ୍ଷା ଦେଉଛନ୍ତି। ଶନିବାର ପୂର୍ବାହ୍ନରେ ଝିଅଙ୍କୁ କପି ଦେବାକୁ ଡମ୍ବରୁ ସ୍କୁଲ ପାଚେରି ଉପରେ ଚଢ଼ିଥିଲେ। ଏପରିକି ସେ ସେଠାରେ ନିୟୋଜିତ ଥିବା ଏପିଆର୍‌ କନଷ୍ଟେବଳଙ୍କୁ ଛାଡ଼ି ଦେବାକୁ କହିଥିଲେ। ଏଥିରେ କନଷ୍ଟେବଳ ରାଜି ନ ହେବାରୁ ଡମ୍ବରୁ ତାଙ୍କୁ ଗାଳିଗୁଲଜ କରିଥିଲେ। ପରେ କନଷ୍ଟେବଳ ଡମ୍ବରୁଙ୍କୁ ତଡ଼ିବାରୁ ସେ ପାଚେରି ଉପରୁ ଡେଇଁ ପଡିଥିଲେ। ଏଣୁ ସେ ମୁହଁମାଡ଼ି ତଳେ ପଡିଯିବାରୁ ନାକରେ ଆଘାତ ଲାଗିଥିଲା। ଖବରପାଇ ପୋଲିସ ନିଜ ଗାଡ଼ିରେ ତାଙ୍କୁ ପ୍ରଥମେ ମହାବିରୋଡ଼ ଓ ପରେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା।

ଘଟଣା ସମ୍ପର୍କରେ ଡମ୍ବରୁ କୁହନ୍ତି, ପୋଲିସ କପି ଦେବାକୁ ନ ଛାଡ଼ିବାରୁ ଟିକେ ଗାଳି କରିଦେଇଥିଲି। ପୋଲିସ ତଡ଼ି ଆଣିବାରୁ ପାଚେରି ଉପରୁ ଡେଇଁ ପଡିଲି। ଫଳରେ ନାକ ଫାଟିଯାଇଛି। ତେବେ ସେହି ସମୟରେ ପୋଲିସ ପାହାରେ ପିଟି ଦେଇଥିଲା। କିନ୍ତୁ ଏ ବିଷୟରେ ପୋଲିସ ନାମରେ ସେ ଥାନାରେ କୌଣସି ଅଭିଯୋଗ କରି ନ ଥିବା କହିଛନ୍ତି।

ଏ ବିଷୟରେ ଥାନାଧିକାରୀ ସନ୍ତୋଷ ପ୍ରଧାନ କୁହନ୍ତି, ପାଚେରିରୁ ଡେଇଁ ପଡିବାରୁ ଡମ୍ବରୁ ମୁହଁ ମାଡି ତଳେ ପଡି ଯାଇଥିଲେ। ଫଳରେ ନାକରେ ଆଘାତ ଲାଗଛି। ତାଙ୍କୁ ଚିକିତ୍ସା କରାଯାଇଛି। ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଭୟରେ ପୋଲିସ ତାଙ୍କୁ ପିଟିଥିବା ଡମ୍ବରୁ କହୁଛନ୍ତି। ଏହା ସତ୍ୟ ହୋଇ ନ ଥିବା ତଦନ୍ତରୁ ଜଣାପଡିଛ ବୋଲି ସେ କହିଛନ୍ତି।