ଝିଅକୁ ଧରି ନଦୀକୁ ଡେଇଁପଡ଼ିଲେ ମା’: କାରଣ ଅସ୍ପଷ୍ଟ, ଉଭୟ ନିଖୋଜ

ନାଉଗାଁ, ୧୧-୯ (ସ୍ବ.ପ୍ର.):ନାଉଗାଁ ଥାନା ବଛାଳୋ ପଞ୍ଚାୟତ ପୋକାମୂଳ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ନିଜ ୫ମାସର ଶିଶୁକନ୍ୟାକୁ ଧରି ଦେବୀ ନଦୀକୁ ଡେଇଁପଡିଥିବା ଜଣାପଡ଼ିଛି। ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ପ୍ରଖର ସ୍ରୋତରେ ଉଭୟ ମା’ଓ ଝିଅ ଭାସିଯାଇଥିଲେ। ଅନ୍ଧାର ଯୋଗୁ ସେମାନଙ୍କ ପତ୍ତା ମିଳିନାହିଁ। ସେ ହେଲେ ଗ୍ରାମର ଅରକ୍ଷିତ ରାଉତଙ୍କ ସ୍ତ୍ରୀ ଇତି ରାଉତ। କେଉଁ କାରଣରୁ ସେ ନଦୀକୁ ଡେଇଁଲେ ତାହା ଜଣାପଡିନାହିଁ। ସରପଞ୍ଚ ନରୋତ୍ତମ କାଣ୍ଡିଙ୍କ କହିବା ଅନୁଯାୟୀ, ରାଶନ କାର୍ଡରେ ଆଧାର ସଂଯୋଗ ପାଇଁ ଇତି ନିଜ ଛୋଟ ଝିଅକୁ ଧରି ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ। କିନ୍ତୁ ରାଶନ କାର୍ଡ ନମ୍ବର ନେଇ ନ ଥିବାରୁ ଆଧାର ସଂଯୋଗ ହୋଇପାରି ନ ଥିଲା। ତେଣୁ ଇତି ଘରକୁ ଫେରିଆସିଥିଲେ। ସନ୍ଧ୍ୟାରେ ତାଙ୍କ ଶ୍ୱଶୁର ଭାଗୁ ରାଉତ ଆଧାର ସଂଯୋଗ ପାଇଁ ବିଭିନ୍ନ କାଗଜପତ୍ର ଧରି ସରପଞ୍ଚଙ୍କ ଘରେ ପହଞ୍ଚତ୍ଥିଲେ। ଶ୍ୱଶୁର ଘରେ ଅନୁପସ୍ଥିତ ଥିବାବେଳେ ଇତି ନିଜ ୫ ମାସର ଝିଅକୁ ଧରି ଗ୍ରାମ ନିକଟରେ ପ୍ରବାହିତ ଦେବୀ ନଦୀକୁ ଡେଇଁ ପଡିଥିଲେ। ନଦୀକୂଳରେ ଗଁାର କେତେଜଣ ଯୁବକ ବସିଥିବାବେଳେ କ’ଣ ପଡ଼ିଲା ବୋଲି ଟର୍ଚ୍ଚ ଲାଇଟ ମାରି ଦେଖିବାବେଳକୁ ଇତି ଓ ତାଙ୍କ ଝିଅ ଭାସିଯାଉଥିବା ଦେଖିଥିଲେ। ସଙ୍ଗେ ସଙ୍ଗେ ସେମାନେ ଗଁା ଲୋକଙ୍କୁ ଖବର ଦେଇଥିଲେ। ଭାଗୁ ଏ ସମ୍ପର୍କରେ ପୋଲିସକୁ ଜଣାଇଥିଲେ। ଥାନା ଅଧିକାରୀ ପ୍ରଜ୍ଞା ରିତାମ୍ବର କର ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ପହଞ୍ଚତ୍ ଘଟଣାର ତଦନ୍ତ କରୁଛନ୍ତି। ଦମକଳ ବାହିନୀ ପକ୍ଷରୁ ପାଣିରେ ଖୋଜାଖୋଜି କରାଯାଇଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ ମା’ଓ ଶିଶୁକନ୍ୟାଙ୍କ ପତ୍ତା ମିଳିନାହିଁ। ସୂଚନାଯୋଗ୍ୟ, ଇତିଙ୍କ ସ୍ବାମୀ ବାହାରେ ରହି କାମ କରୁଛନ୍ତି। ତାଙ୍କର ଏକ ୫ ବର୍ଷ ବୟସର ପୁଅ ଅଛି।