ଝାରସୁଗୁଡାରେ ୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ: ୫ ବର୍ଷର ଶିଶୁ ସଂସ୍ପର୍ଶରେ ଆସି ବର୍ଷକର ଶିଶୁ କନ୍ୟା ଆକ୍ରାନ୍ତ

ଝାରସୁଗୁଡା ଅଫିସ,୨୩।୫: ଝାରସୁଗୁଡା ଜିଲାରେ ଶନିବାର ୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବର୍ଷକର ଶିୁଶୁ ହୋଇଥିବା ବେଳେ ଅନ୍ୟ ଜଣକ ୪୦ବର୍ଷୀୟ ବ୍ୟକ୍ତି। ଏନେଇ ଜିଲାପାଳ ସରୋଜ କୁମାର ସାମଲ ଶନିବାର ଟୁଇଟ କରି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ଝାରସୁଗୁଡା ସହର ମଙ୍ଗଳବଜାର ଅଞ୍ଚଳର ଜଣେ ୫ ବର୍ଷର ଶିଶୁ କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଥିଲା। ତେବେ ଶନିବାର ଚିହ୍ନଟ ହୋଇଥିବା ବର୍ଷକର ଶିଶୁ କନ୍ୟା ଉକ୍ତ ଶିଶୁ ସଂସ୍ପର୍ଶରେ ଆସି କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଉକ୍ତ ପରିବାର ଗତ ୧୬ତାରିଖରୁ ଆଗ୍ରାରୁ ଆସି ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ସେହିପରି ଅନ୍ୟ ଜଣକ ଆକ୍ରାନ୍ତ ମହାରାଷ୍ଟ୍ରରୁ ଫେରିଥିବା ୪୦ବର୍ଷୀୟ ବ୍ୟକ୍ତି। ସେ ବ୍ରଜରାଜନଗର ସ୍ଥିତ ଟିଏମ୍‌ସିରେ କ୍ୱାରାଣ୍ଟାଇନ୍‌ରେ ଥିଲେ। ତେବେ ନୂଆ ଚିହ୍ନଟ ହୋଇଥିବା କାରୋନା ଆକ୍ରାନ୍ତଙ୍କୁ ନେଇ ଭୟଭୀତ ନ ହେବାକୁ ଜିଲାପାଳ ସରୋଜ କୁମାର ସାମଲ କହିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଝାରସୁଗୁଡା ସହର ମଙ୍ଗଲବଜାରର କିଛି ଅଂଶ, ଡିଏଭି ସ୍କୁଲ ସ୍ଥିତ ଟିଏମ୍‌ସି ଓ ବ୍ରଜରାଜନଗରର ହିଲ୍‌ ଟପ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।