ଝାରସୁଗୁଡାରେ ବିଚାରପତି-ପୋଲିସ ମୁହାଁମୁହିଁ

ଝାରସୁଗୁଡା ଅଫିସ,୨୭।୩-ଝାରସୁଗୁଡା ଜିଲା ପୋଲିସ ପକ୍ଷରୁ ଲକ୍‌ ଡାଉନକୁ କଡାକଡି ଭାବେ ପାଳନ କରିବା ପାଇଁ ସହରର କିଶାନ ଛକ, ବସଷ୍ଟାଣ୍ଡ ଛକ, ରେଳ ଷ୍ଟେସନ ଛକ ଓ ଥାନା ଛକଠାରେ ପୋଲିସ କର୍ମଚାରୀ ଓ ଅଧିକାରୀମାନେ ମୁତୟନ ଅଛନ୍ତି। ଏହି ରାସ୍ତା ଦେଇ ଚଳପ୍ରଚଳ କରୁଥିବା ଯାନ ବାହାନ ଯାଞ୍ଚ କରାଯାଉଛି। ତେବେ ଶୁକ୍ରବାର ସକାଳ ପ୍ରାୟ ୯ଟା ବେଳେ ବସଷ୍ଟାଣ୍ଡ ଛକରେ ଯାନବାହାନ ଯାଞ୍ଚ ବେଳେ ଜଣେ ବିଚାରପତି ଓ ପୋଲିସ କର୍ମଚାରୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା। ବିନା କାରଣରେ ଯିବା ଆସିବା କରୁଥିବା ବ୍ୟକ୍ତି ଓ ମୋଟରଯାନ ଆଇନ ନ ମାନି ବୁଲୁଥିବା ଗାଡିଚାଳକଙ୍କୁ ଅଟକାଇ ପୋଲିସ ଜରିମାନା ଆଦାୟ କରୁଥିଲା। ଏହି ସମୟରେ ଏକ ଦୁଇ ଚକିଆ ଯାନରେ ବିନା ହେଲମେଟରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍‌ ଅଟକାଇ ଜରିମାନା କରିଥିଲା। ତେବେ ସମ୍ପୃକ୍ତ ବ୍ୟକ୍ତି ନିଜକୁ ବିଚାରପତି ବୋଲି ପରିଚୟ ଦେଇଥିଲେ। ହେଲେ ପୋଲିସ ଛାଡି ନ ଥିଲା। ଏଣୁ ଯୁକ୍ତିତର୍କ ହୋଇଥିଲା। ଶେଷରେ ବିଚାରପତି ବୋଲି ପରିଚୟ ଦେଇଥିବା ଉକ୍ତ ବ୍ୟକ୍ତି ଜଣକ ଝାରସୁଗୁଡା ଏସ୍‌ପି ଅଶ୍ୱିନୀ ମହାନ୍ତିଙ୍କୁ ଫୋନ୍‌ କରିଥିଲେ। ଏସ୍‌ପିଙ୍କ ହସ୍ତକ୍ଷେପ ପରେ ସେଠାରେ ଡ୍ୟୁଟି କରୁଥିବା ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବିନା ଜରିମାନାରେ ଛାଡଥିଲା। ଅନ୍ୟପକ୍ଷେ ଏଭଳି ଘଟଣା ସମ୍ପର୍କରେ ସୂଚନା ପାଇ ତୁରନ୍ତ ସେଠାରେ ଝାରସୁଗୁଡା ଏସ୍‌ଡିପିଓ କୈଳାଶ ଆଚାର୍ଯ୍ୟ ପହଞ୍ଚତ୍ ଥିଲେ। ତେବେ ଏହି ଘଟଣାରେ ଜିଲାର ଜଣେ ବରିଷ୍ଠ ପୋଲିସ ଅଧିକାରୀ ମତ ରଖି କହିଛନ୍ତି ଯେ, ଗାଡି ମୋଟର ଯାଞ୍ଚ ହେଉଥିବା ବେଳେ ବିଭିନ୍ନ ଲୋକ ନିଜ ନିଜ ସ୍ବତନ୍ତ୍ର ପରିଚୟ ଦେଇ ଖସି ଯାଉଛନ୍ତି। ଏଣୁ ଖରାରେ ଦୀର୍ଘ ସମୟ ଠିଆ ହୋଇ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ଉତ୍ସାହ କମି ଯାଉଛି। ଏଣୁ ଯିଏ ବି ହେଉ ଆଇନରୁ ଊର୍ଦ୍ଧ୍ୱରେ କେହି ନୁହେଁ। ତେବେ କାର୍ଯ୍ୟ କରିବା ବେଳେ ବରିଷ୍ଠ ଅଧିକାରୀମାନେ ଅଯଥାରେ ହସ୍ତକ୍ଷେପ ନ କରି ସ୍ବାଧୀନତା ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।