ଝାରସୁଗୁଡ଼ା-ବେଙ୍ଗାଲୁରୁ ବିମାନ ସେବା ଆଶା ମଉଳିଲା

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ଝାରସୁଗୁଡ଼ା-ବେଙ୍ଗାଲୁରୁ ବିମାନ ସେବାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଚଳିତ ମାସ ତୃତୀୟ ସପ୍ତାହରେ ବିମାନ ଉଡ଼ାଣ କରିବ ବୋଲି ଯେଉଁ ଆଶା ରହିଥିଲା ତାହା ମଉଳି ଯାଇଛି। ବର୍ତ୍ତମାନ ଏହି ସେବାକୁ ନେଇ କୌଣସି ବି ସୂଚନା ମିଳିପାରୁନି। ସୂଚନାଯୋଗ୍ୟ, ରାଜ୍ୟରେ ଉଡ଼ାନ ଯୋଜନାର ସମୀକ୍ଷାବେଳେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଝାରସୁଗୁଡ଼ାରୁ ବେଙ୍ଗାଲୁରୁକୁ ବିମାନ ଚଳାଚଳ ନେଇ ସୂଚନା ଦେଇଥିଲେ। ସ୍ପାଇସ୍‌ ଜେଟ୍‌ ଏହି ସେବା ଯୋଗାଇବା ପାଇଁ ରାଜି ହୋଇଥିବା ଶୁଣିବା ପରେ ପଶ୍ଚିମ ଓଡ଼ିଶାବାସୀ ଖୁବ୍‌ ଉତ୍ସାହିତ ହୋଇପଡ଼ିଥିଲେ। କିନ୍ତୁ ଅକ୍ଟୋବରରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ ପ୍ରକାଶ ପାଇଥିବା ଶୀତକାଳୀନ ଉଡାଣ ତାଲିକାରେ ଝାରସୁଗୁଡ଼ା-ବେଙ୍ଗାଲୁରୁ ବିମାନ ସେବା ସ୍ଥାନ ପାଇ ନ ଥିଲା। ଏଥିରୁ ଏହି ବିମାନ ସେବାକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା।