ଝାରସୁଗୁଡ଼ାରେ କଲେଜ ଛାତ୍ରଙ୍କୁ ପୋଲିସର ନାଲି ଆଖି

ଝାରସୁଗୁଡା ଅଫିସ,୨ା୪- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶକୁ ଲକ୍‌ ଡାଉନ କରାଯାଉଛି। ଏହି କଟକଣାକୁ ମାନୁ ନ ଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ତେବେ କଟକଣାକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଅଭିଯୋଗ ହେଉଛି। ତେବେ ଏହି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବାରୁ ଝାରସୁଗୁଡା ସହରର ଜଣେ କଲେଜ ଛାତ୍ରଙ୍କୁ ପୋଲିସ ନାଲି ଆଖି ଦେଖାଇଛି। ଏହି କଲେଜ ଛାତ୍ର ଜଣକ ପ୍ରଶାସନର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବାର ଭିଡିଓ ଏବଂ ଜଣେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅଧିକାରୀ ବାଡି ଧରି ବୁଲୁଥିବାର ଏକ ଫଟୋ ସୋସିଆଲ ମିଡିଆରେ ବୁଲୁଛି, ଯାହା ଏବେ ଜିଲାରେ ଚର୍ଚ୍ଚାର ବିଷୟ ପାଳଟିଛି।
ସୂଚନା ମୁତାବକ ଜଣେ କଲେଜ ଛାତ୍ର ବୁଧବାର ସ୍ଥାନୀୟ ସରବାହାଲ ଅଞ୍ଚଳକୁ ଯାଇଥିଲେ। ଗୁରୁବାର ଅସହାୟମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ସେମାନେ ଯୋଜନା କରି ଆଲୋଚନା ସାରି ସେଠାରୁ ସେ ଫେରୁଥିଲେ। ଏତିକିବେଳେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଜଣେ ଅଧିକାରୀ ତାଙ୍କୁ ଅଟକାଇ ବାଡିରେ ମାଡ ମାରିଥିଲେ। ଏହାକୁ ବିରୋଧ କରି ଏହି କଲେଜ ଛାତ୍ର ଜଣକ ନିଜେ ଏକ ଭିଡିଓ ତିଆରି କରି ପୋଲିସ ଓ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀଙ୍କ ନାଁ ନେଇ ନିଜ ଫେସ୍‌ବୁକ୍‌ ଆଇଡିରେ ଛାଡିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ଜାଣିପାରି ପୋଲିସ ତାଙ୍କୁ ଉଠାଇ ନେଇ ଫେସ୍‌ବୁକ୍‌ ଆଇଡିରୁ ଡିଲିଟ କରିବାକୁ କହିଥିଲା। ଶେଷରେ ତାଙ୍କୁ ଚେତାବନୀ ଦେଇ ଛାଡି ଦେଇଥିବା ଝାରସୁଗୁଡା ଥାନା ଅଧିକାରୀ ସାବିତ୍ରୀ ବଳ କହିଛନ୍ତି। ସେହିପରି ଲକ୍‌ ଡାଉନ୍‌ ସମୟରେ ମାଜିଷ୍ଟ୍ରଟ ଡ୍ୟୁଟିରେ ଥିବା ଜଣେ ଅଧିକାରୀ ହାତରେ ଏକ ବାଡି ଧରି ସହରର ବିଭିନ୍ନ ଦୋକାନ ଓ ବଜାରରେ ବୁଲୁଥିବା ଏକ ଫଟୋ ଭାଇରାଲ ହୋଇଛି। ହେଲେ ସମ୍ପୃକ୍ତ ଅଧିକାରୀଙ୍କ ମତାମତ ମିଳିପାରିନାହିଁ।