ଝାଡାବାନ୍ତିରେ ୧୫୧ ଆକ୍ରାନ୍ତ

ଦେଓଗାଁ,୧୫।୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ବଡବନ୍ଧ ପଞ୍ଚାୟତ ଅନ୍ତର୍ଗତ କରୁଆଁଝର ଗାଁରେ ଗୁରୁବାର ସନ୍ଧ୍ୟାରୁ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଗାଁର ଡଲି ମାହାକୁର (୨୧) ଓ ଜେମା ବଗର୍ତ୍ତି (୫୧)ଙ୍କୁ ବଲାଙ୍ଗୀର ସ୍ଥାନାନ୍ତର କରାଯାଇଛି। ଶୁକ୍ରବାର ଗାଁର ଛୋଟବଡ଼ ମିଶାଇ ୩୭ଜଣ ଆକ୍ରାନ୍ତଙ୍କୁ ଶ୍ରୀ ରାମଚନ୍ଦ୍ର ନୋଡାଲ ହାଇସ୍କୁଲରେ ଚିକିତ୍ସା କରାଯାଉଛି। ୧୧୪ ଜଣ ସମାନ୍ୟ ଆକ୍ରାନ୍ତ ହୋଇଥିଲେ ବୋଲି ଦେଓଗାଁ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରର ଡା. ସୁରେନ୍ଦ୍ର କୁମାର ପାରକିଆ କହିଛନ୍ତି। ଶୁକ୍ରବାର ୧୦ ଜଣିଆ ଡାକ୍ତରୀଦଳ, ବଲାଙ୍ଗୀର ସିଡିଏମଓ ନାରାୟଣ ଥନାପତି, ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ଲକ୍ଷ୍ମଣ କୁମାର ମେହେର, ଜିଲା ପରିଷଦ ସଦସ୍ୟ ସୁଶୀଳ କୁମାର ଚାନ୍ଦ, ଏମ୍‌ପି ପ୍ରତିନିଧି ଅମିତ କୁମାର ସିଂ ନିନା, ସରପଞ୍ଚ ସଂଘ ସଭାପତି ଦୟାନିଧି ଖମାରୀ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ଏଭଳି ପରିସ୍ଥିତିରେ ଦେବାଦେବୀଙ୍କ ଉପରେ ବିଶ୍ୱାସ ରଖୁଥିବା କିଛି ବ୍ୟକ୍ତି ଗାଁ ମଝିରେ ପୂଜାର୍ଚ୍ଚନା ମଧ୍ୟ କରୁଥିବା ନଜରକୁ ଆସିଛି। ପାଣି ପାଇଁ ଲୋକେ ଝାଡାବାନ୍ତିର ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି।