Categories: ଜାତୀୟ

ଝାଡ଼ଖଣ୍ଡ: ୨୦ ଆସନ ଲାଗି ୨୬୦ ପ୍ରାର୍ଥୀ:ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଶେଷ

ରାଞ୍ଚି,୬।୧୨(ଆଇଏଏନ୍‌ଏସ୍‌):ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶନିବାର ହେବାକୁ ଥିବାବେଳେ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଶେଷଦିନରେ ଭାଜପା, କଂଗ୍ରେସ, ଜେଏମ୍‌ଏମ୍‌ ଓ ଆର୍‌ଜେଡି ପକ୍ଷରୁ ଜୋର୍‌ଦାର ପ୍ରଚାର କରାଯାଇଛି। ଏହି ପର୍ଯ୍ୟାୟରେ ୨୦ ଆସନ ଲାଗି ଭୋଟଗ୍ରହଣ କରାଯିବ। ୧୮ଟି ଆସନରେ ସେହିଦିନ ସକାଳ ୭ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବାକୁ ଥିବାବେଳେ ୨ ଆସନରେ ସକାଳ ୭ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ମତଦାନ କରାଯିବ ବୋଲି ଜଣାପଡ଼ିଛି। ୨୦ ଆସନରୁ ୧୬ଟି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀଙ୍କ ଲାଗି ଉଦ୍ଦିଷ୍ଟ ଅଛି। ମୋଟ ୨୯ ମହିଳାଙ୍କ ସମେତ ୨୬୦ ପ୍ରାର୍ଥୀ ଦ୍ୱିତୀୟ ପର୍ଯ୍ୟାୟ ଭୋଟରେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବେ। ପୂର୍ବ ଜାମ୍‌ସେଦପୁର ଓ ପଶ୍ଚିମ ଜାମ୍‌ସେଦପୁର ଆସନରେ ୨୦ଜଣ ଲେଖାଏ ପ୍ରାର୍ଥୀ ରହିଛନ୍ତି। ପୂର୍ବ ଜାମ୍‌ସେଦପୁର ଆସନରୁ ମୁଖ୍ୟମନ୍ତ୍ରୀ ରଘୁବର ଦାସ ମଇଦାନରେ ଅଛନ୍ତି। ଏହି ୨୦ ଆସନରେ ମାଓବାଦୀଙ୍କ ପ୍ରଭାବ ରହିଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫ ପର୍ଯ୍ୟାୟ ଭୋଟ ଶେଷ ହେବାପରେ ୨୩ରେ ଭୋଟ ଗଣତି ହେବ।

Share