Categories: ଜାତୀୟ

ଝାଡ଼ଖଣ୍ଡ ଭିଡ଼ହତ୍ୟା ମାମଲା: ୫ ଗିରଫ, ୨ ପୋଲିସ ନିଲମ୍ବିତ

ରାଞ୍ଚତ୍,୨୫।୬: ମୋଟରସାଇକେଲ ଚୋରି ଅଭିଯୋଗରେ ଝାଡଖଣ୍ଡର ଷଢ଼େଇକଳା ଖରସୁଆଁ ଅଞ୍ଚଳରେ ଜଣେ ମୁସଲିମ୍‌ ଯୁବକଙ୍କୁ ଉତ୍ତ୍ୟକ୍ତ ଲୋକେ ପିଟି ମାରିଦେବା ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଏହି ସମ୍ବେଦନଶୀଳ ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିବାବେଳେ କର୍ତ୍ତବ୍ୟରେ ଅବହେଳା ପାଇଁ ୨ ଜଣ ପୋଲିସ ଅଫିସରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣକୁ ପୋଲିସ ଖୋଜୁଛି।
ଗତ ମଙ୍ଗଳବାର ଖରସୁଆଁ ଅନ୍ତର୍ଗତ କଦମଡିହା ଗ୍ରାମର ତବ୍‌ରେଜ୍‌ ଅନ୍‌ସାରୀ (୨୪) ଜାମସେଦ୍‌ପୁରରୁ ସାଙ୍ଗଙ୍କ ସହ ଫେରୁଥିବାବେଳେ ଘରଠାରୁ ୫ କିଲୋମିଟର ଦୂରରେ କେତେଜଣ ଲୋକ ତାଙ୍କୁ ବାଇକ୍‌ ଚୋରି ସନ୍ଦେହରେ ଆକ୍ରମଣ କରିଥିଲେ। ସେମାନେ ତବ୍‌ରେଜ୍‌ଙ୍କୁ ଏକ ଖୁଣ୍ଟରେ ବାନ୍ଧି ଦୀର୍ଘସମୟ ଧରି ପିଟିବା ସହ ‘ଜୟ ଶ୍ରୀରାମ’ ଓ ‘ଜୟ ହନୁମାନ’ କହିବାକୁ ବାଧ୍ୟ କରିଥିଲେ। ସେ ଅଚେତ ହୋଇଯିବାରୁ ଆକ୍ରମଣକାରୀମାନେ ତାଙ୍କୁ ପୋଲିସ ଜିମା ଦେଇଥିଲେ। ପୋଲିସ ୪ ଦିନ ହାଜତରେ ରଖିବା ପରେ ଶନିବାର ତାଙ୍କୁ ହସ୍ପିଟାଲ ଅଣିଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାରର ଆକୁଳ ନିବେଦନ ସତ୍ତ୍ୱେ ପୋଲିସ ତବ୍‌ରେଜ୍‌ଙ୍କ ଚିକିତ୍ସା ବ୍ୟବସ୍ଥା କରି ନ ଥିଲା। ଏପରିକି ପରିବାର ସଦସ୍ୟମାନଙ୍କ ତାଙ୍କ ସହ ଭେଟିବାକୁ ଦେଇ ନ ଥିଲା ପୋଲିସ। ହସ୍ପିଟାଲ ଯିବାର ବହୁ ପୂର୍ବରୁ ତବ୍‌ରେଜ୍‌ଙ୍କର ମୃତ୍ୟୁ ହୋଇଥିଲା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ଏହି ସମ୍ପୃକ୍ତ ଆକ୍ରମଣକାରୀ, ପୋଲିସ ଏବଂ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ହୋଇଥିଲା। ମୁସଲମାନ ହୋଇଥିବାରୁ ତବ୍‌ରେଜ୍‌ଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ସ୍ତ୍ରୀ ଶାହିସ୍ତା ପର୍‌ଭିନ୍‌ କହିଛନ୍ତି।
ଭିଡ଼ ହତ୍ୟାକୁ ନେଇ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇବା ପରେ ପୋଲିସ ନିଜର ତ୍ରୁଟି ସ୍ବୀକାର କରିବା ସହ ଘଟଣାର ତଦନ୍ତ ଲାଗି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରିଛି। ଦୁଇ ପୋଲିସ ଅଫିସର ଚନ୍ଦ୍ରମୋହନ ଓରାନ୍‌ ଏବଂ ବିପିନ ବିହାରୀଙ୍କୁ ନିଲମ୍ବନ କରାଯାଇଛି। ଭିଡ଼ହତ୍ୟା ଘଟଣାକୁ ରାଜନୈତିକ ରୂପ ନ ଦେବା ଲାଗି ମନ୍ତ୍ରୀ ସି.ପି. ସିଂ କହିଛନ୍ତି।

Share