ଝରଣା ପାଣି ଏକମାତ୍ର ଭରସା

ତେଲକୋଇ, ୨୨।୫(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ଶିବନାରାୟଣପୁର ଗୋଡା ପଞ୍ଚାୟତ ଅଧୀନରେ ରହିଛି କାଞ୍ଜିଆଝରଣ ବସ୍ତି । ପାହାଡ ଉପରେ ବସବାସ କରୁଥିବା ୩୦ରୁ ଊର୍ଦ୍ଧ୍ୱ ଭୂୟାଁ ଜନଜାତି ପରିବାର ପାଣିପାଇଁ ଡହଳବିକଳ ଅବସ୍ଥାରେ ରହିବାକୁ ବାଧ୍ୟ ହୋଇଛନ୍ତି। ପାହାଡ ଉପରେ ଥିବା ଏକ ଝରଣା ସେମାନଙ୍କ ପାଇଁ ସାହା ଭରସା। ଉକ୍ତ ଗ୍ରାମକୁ ରାସ୍ତା ନଥିବା ଯୋଗୁ ନଳକୂପ ଅଦ୍ୟାବଧି ହୋଇପାରିନାହିଁ। ଉକ୍ତ ବସ୍ତି ବାସୀନ୍ଦା ସ୍ଥାନୀୟ ସରପଞ୍ଚ ଓ ବିଡିଓ ଙ୍କୁ ବାରମ୍ବାର ଗୁହାରୀ କରି ବିଫଳ ହୋଇଥିବା ଗ୍ରାମର ଅମିନ ଦେହୁରୀ, ଉଦ୍ଧବ ଦେହୁରୀ, ମଗସିରା ଦେହୁରୀ, ମିନ ଦେହୁରୀ, ରାମଚନ୍ଦ୍ର ଦେହୁରୀ, ଗୁରୁ ଦେହୁରୀ ସମେତ ବସ୍ତି ବାସିନ୍ଦା ପ୍ରକାଶ କରିଛନ୍ତି । ଉକ୍ତ ଝରଣାର ଦୂଷିତ ପାଣି ଗୃହପାଳିତ ପଶୁପକ୍ଷୀଙ୍କ ସହିତ ଗାଁ ଲୋକଙ୍କ ପାଇଁ ଏକ ପ୍ରକାର ଜୀବନ ପାଲଟିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଗ୍ରାମରେ ଚର୍ମ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସ୍ଥାନୀୟ ସରପଞ୍ଚ ଶିରପାଣି ପ୍ରଧାନଙ୍କ କହିବାନୁଯାୟୀ ପାହାଡ ଉପରକୁ ରାସ୍ତା ନଥିବା ଯୋଗୁଁ ନଳକୂପ କରାଯାଇ ପାରିନାହିଁ । ଏଥିପାଇଁ ପାହାଡ ତଳି ଅଞ୍ଚଳକୁ ଆସିବା ପାଇଁ ସ୍ଥାନୀୟ ତହସିଲଦାର ଙ୍କ ଠାରେ ଦାବି କରାଯାଇଛି । ବିଡିଓ ଦିଲ୍ଲିପ କୁମାର ବାରାଙ୍କୁ ପଚାରିବାରୁ ପାହାଡ ଉପରେ ରହୁଥିବା କାଞ୍ଜିଆଝରଣ ବାସୀଙ୍କ ପାଇଁ ଯାତାୟତ ନଥିବାରୁ ପାନୀୟ ସମସ୍ୟା ହେଉଥିବା ସେ କହିଛନ୍ତି।