ଝରଣାସାହି ଚୋରି ଘଟଣାରେ ୪ ଗିରଫ

ଉଦଳା,୫ା୮(ଡି.ଏନ୍‌.ଏ.)-ଉଦଳା ଥାନା ଅଧୀନ ଝରଣାସାହି ଗ୍ରାମ ଚୋରି ଘଟଣାର ୩ ସପ୍ତାହ ପରେ ପୋଲିସ୍‌ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କଠାରୁ ଦୁଇଟି ମୋବାଇଲ୍‌ , କୁରାଢୀ, ଗୋଟିଏ ବାଇକ ଓ କେତେକ ଚୋରି ଜିନିଷ ଜବତ ହୋଇଛି । ଅଭିଯୁକ୍ତମାନେ ହେଲେ ବଡସାହି ଥାନା ଅଞ୍ଚଳର କୃଷ୍ଣ ନାଏକ, ଉଦଳା ଥାନା ଅଞ୍ଚଳର ଭୀମ ସିଂ, ରବିନ୍ଦ୍ର ସୋରନ୍‌ ଏବଂ କପ୍ତିପଦା ଥାନା ଅଞ୍ଚଳର ରାମ ହେମ୍ବ୍ରମ୍‌ । ଗତ ଜୁଲାଇ ୧୦ ତାରିଖ ରାତିରେ ଝରଣାସାହି ଗ୍ରାମର ବୀର ହେମ୍ବ୍ରମଙ୍କ ଘରୁ ଚୋରି ହୋଇଥିଲା । ଚୋରମାନେ ମୁହଁରେ ମୁଖା ପିନ୍ଧି ଗୃହମାଲିକଙ୍କୁ ମାରଣାସ୍ତ୍ର ଦେଖାଇ ବହୁ ଆସବାବପତ୍ର ଚୋରି କରି ନେଇଥିବା ଉଦଳା ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ୍‌ ଏକ ମାମଲା(ନଂ. ୭୭/୧୯) ରୁଜୁ କରି ତଦନ୍ତ ଜାରି ରଖିଥିଲା। ଗିରଫ ଅଭିଯୁକ୍ତମାନେ ହନୁମାନ ପଇସା ସନ୍ଦେହରେ ବୀରଙ୍କ ଘରେ ପଶି ଚୋରି କରିଥିଲେ। ତେବେ ଏହି ଚୋର ଦଳରେ ଆହୁରି ୩ରୁ ୪ଜଣଙ୍କ ସଂପୃକ୍ତି ରହିଛି ବୋଲି ଉଦଳା ଥାନା ଆଇଆଇସି ସନାତନ ସାହୁ ସୂଚନା ଦେଇଛନ୍ତି। ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି । ଗିରଫ ଅଭିଯୁକ୍ତମାନଙ୍କୁ ରବିବାର କୋର୍ଟଚାଲାଣ କରାଯାଇଛି ।