Categories: ଜାତୀୟ

‘ଜୟ ଶ୍ରୀରାମ’ ନାରାବାଜି ଉପରେ ଭଡ଼କିଲେ ମମତା: ଚିତ୍କାର କରି କହିଲେ, ଛାଲ ଉତାରିଦେବି

କୋଲକାତା୩୧।୫: ଲୋକ ସଭା ନିର୍ବାଚନରେ ପଶ୍ଚିମବଙ୍ଗରୁ ଅନେକ ଆସନ ହାତରୁ ଚାଲିଯିବା ପରେ ଟିଏମସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି। ଏଭଳି ସ୍ଥିତିରେ ତାଙ୍କର ଏକ ଭିଡିଓ ସାମ୍‌ନାକୁ ଆସିଛି। ଯେଉଁଥିରେ ସେ ରାଲି କରୁଥିବା ଲୋକଙ୍କ ଉପରେ ଚିତ୍କାର କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ନିର୍ବାଚନ ସମୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ହୋଇଥିବା ହିଂସା ଘଟଣାର ପ୍ରତିବାଦରେ ଧାରଣା ଦେବା ପାଇଁ ଗୁରୁବାର ମମତା ନୌହାଟି ଯାଉଥିଲେ। ମମତାଙ୍କ ଗସ୍ତ ସମୟରେ ଉତ୍ତର ୨୪ ପ୍ରଗଣା ଜିଲାରେ କିଛି ଲୋକ ତାଙ୍କ ଗାଡି ସମ୍ମୁଖରେ ଆସି ‘ଜୟ ଶ୍ରୀରାମ’ର ନାରା ଦେଇଥିଲେ। ଏହି ନାରାବାଜି ଶୁଣି ସେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଆଉ ତୁରନ୍ତ ଗାଡ଼ିରୁ ଓହ୍ଲାଇ ନାରାବାଜି କରୁଥିବା ଲୋକଙ୍କ ଉପରେ ପାଟି କରି ବିରୋଧ କରିଥିଲେ। ମମତା ଚିତ୍କାର କରି କହିଥିଲେ ଯେ, ‘ଏଠାକୁ ଆସ, ସାହସ ଅଛି ତ ସାମ୍ନାକୁ ଆସ, ମୋତେ ସାମ୍ନା କର। ବିଜେପିର ଗୁଣ୍ଡା, ଏଠାରେ ତୁମେମାନେ ଆମ ପାଇଁ ରହିଛ। ତୁମ ପରି ଲୋକଙ୍କୁ ଏଠାରୁ ବିତାଡ଼ିତ କରିପାରିବି। ତୁମେ ସମସ୍ତେ ବଦ୍‌ମାସ। ତୁମମାନଙ୍କର ସାହସ କେମିତି ହେଲା ମୋ ଗାଡ଼ି ସାମ୍ନାରେ ଆସି ନାରାବାଜି କରିବାକୁ। ମୁଁ ତୁମମାନଙ୍କର ଛାଲ ଉତାରିଦେବି ବୋଲି କହିଥିଲେ। ମୋର ସବୁ ଲୋକଙ୍କ ନାଁ ଦରକାର ଯେଉଁମାନେ ଏଠାରେ ନାରାବାଜି କରୁଥିଲେ। ପ୍ରତ୍ୟେକଙ୍କ ଘର ଯାଞ୍ଚ ହେବା ଦରକାର ବୋଲି ସେ କହିଥିଲେ। ଏହାପରେ ମମତା ଗାଡ଼ିରେ ବସିବା କ୍ଷଣି ଲୋକମାନେ ପୁଣି ଥରେ ‘ଜୟ ଶ୍ରୀରାମ’ କହି ପାଟି କରିଥିଲେ। ମମତା ପୁଣି ଗାଡ଼ିରୁ ଓହ୍ଲାଇ ବଡ଼ ପାଟିରେ କହିଥିଲେ, ‘ସାହସ ଅଛି ତ ମୋ ସାମ୍ନାକୁ ଆସ, ବଦ୍‌ମାସ। ତେବେ ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନାରାବାଜି କରୁଥିବା ୭ଜଣ ଲୋକଙ୍କୁ ଗିରଫ କରିଛି ପୋଲିସ।

Share