ଜୟଦେବ ଦାସଙ୍କ ଦେହାନ୍ତ

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ପ୍ରତିଷ୍ଠିତ ଓଡ଼ିଆ ଫିଲ୍ମ, ଟେଲିଭିଜନ, ରେଡିଓ ଓ ମଞ୍ଚ କଳାକାର ଜୟଦେବ ଦାସ ଆଉ ନାହାନ୍ତି। ଶୁକ୍ରବାର ଭୋର୍‌ ୪ଟାରେ କଟକସ୍ଥିତ ଏସ୍‌ସିବି ମେଡିକାଲରେ ସେ ଚିରଦିନ ପାଇଁ ଆଖି ବୁଜିଛନ୍ତି। ତାଙ୍କୁ ୬୦ବର୍ଷ ହୋଇଥିଲା। ସେ ଅସୁସ୍ଥ ହୋଇ ୧୦ ଦିନ ହେବ ଚିକିତ୍ସିତ ହେଉଥିଲେ। ଗୁରୁବାର ରାତିରେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ତାଙ୍କୁ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଉଥିବାବେଳେ ସେଠାରେ ତାଙ୍କର ହୃଦ୍‌ଘାତ ହୋଇଥିବା ଡାକ୍ତର କହିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ଗାୟତ୍ରୀ କର, ଝିଅ ଭାଷା ପ୍ରିୟଦର୍ଶିନୀ ଓ ପୁଅ ବିସ୍ମୟ ସଙ୍କେତ ଦାସ ଉପସ୍ଥିତ ଥିଲେ। ସତୀ ଚଉରା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଓଡ଼ିଶାର ଚଳଚ୍ଚିତ୍ର, ନୃତ୍ୟ ଓ ସଙ୍ଗୀତ ଜଗତର ଜଣେ ପରିଚିତ ଚେହେରା ଜୟଦେବଙ୍କ ମୃତ୍ୟୁରେ ସମଗ୍ର କଳାଜଗତ ସ୍ତବ୍ଧ ହୋଇଯାଇଥିବାବେଳେ ବହୁ ବରିଷ୍ଠ କଳାକାର ଶୋକପ୍ରକାଶ କରିଛନ୍ତି।
ଏକାଧିକ କଳାର ଅଧିକାରୀ ଥିବା ଜୟଦେବ କଟକ ସତୀ ଚଉରାଠାରେ ଜନ୍ମଗ୍ରହଣ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶେଷ କରିବା ପରେ ଅନ୍ନପୂର୍ଣ୍ଣା ଥିଏଟର- ବି ଗ୍ରୁପ୍‌ରେ ଜଣେ ମଞ୍ଚ କଳାକାରଭାବେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଓଡ଼ିଶାର ବହୁ ଖ୍ୟାତନାମା ନାଟ୍ୟ ନିର୍ଦ୍ଦେଶକଙ୍କ ସହ ସେ କାମ କରିଥିଲେ। ୧୯୭୬ରୁ ଏପର୍ଯ୍ୟନ୍ତ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ନାଟକର ନିର୍ଦ୍ଦେଶନା ଦେଇଥିଲେ। ଟେଲିଭିଜନ, ରେଡିଓ ଓ ଚଳଚ୍ଚିତ୍ର ଜଗତ ସହ ଦୀର୍ଘ ୨୦ବର୍ଷ ଧରି ରହିଆସିଥିଲେ। ଶାସ୍ତ୍ରୀୟ ନୃତ୍ୟ ସହ ଜଡ଼ିତ ଥିବା ଜୟଦେବ ଜଣେ ଲାଇଟିଂ ଡିଜାଇନରଭାବେ ଗୁରୁ କେଳୁଚରଣ ମହାପାତ୍ରଙ୍କ ସହ ମଧ୍ୟ କାମ କରିଥିଲେ।