Categories: ଜାତୀୟ

ଜ୍ୟୋତିର୍ବିଦ୍‌ ବେଜାନ ଦାରୁଓ୍ବାଲାଙ୍କ ପରଲୋକ

ନୂଆଦିଲ୍ଲୀ,୨୯ା୫- ଖ୍ୟାତନାମା ଜ୍ୟୋତିର୍ବିଦ୍‌ ବେଜାନ ଦାରୁଓ୍ବାଲାଙ୍କର ଶୁକ୍ରବାର ପରଲୋକ ହୋଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ଗତ ସପ୍ତାହରେ ତାଙ୍କୁ ଅହମଦାବାଦର ଏକ ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କଠାରେ କରୋନା ପଜିଟିଭ୍‌ ଥିବା ପରୀକ୍ଷାରୁ ଜଣାପଡିଥିଲା ବୋଲି ଗତ ଶନିବାର କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ପୁଅ ନାସ୍ତୁର ଏହାକୁ ଗୁଜବ କହି ଖଣ୍ଡନ କରିଥିଲେ। ବେଜାନ୍‌ଙ୍କୁ ନିମୋନିଆ ହେବା ସହ ଫୁସ୍‌ଫୁସ୍‌ ସଂକ୍ରମିତ ହୋଇଥିବା ନାସ୍ତୁର କହିଥିଲେ। ଗଣେଶଙ୍କ ଭକ୍ତ ଭାବେ ଜଣାଶୁଣା ବେଜାନଙ୍କ ଜନ୍ମ ୧୯୩୧ ଜୁଲାଇରେ। ସେ ଭବିଷ୍ୟ ପୂର୍ବାନୁମାନ କରିବାରେ ବୈଦିକ ଜ୍ୟୋତିଷବିଦ୍ୟା ସମେତ ସଂଖ୍ୟାଜ୍ୟୋତିଷ, ହସ୍ତରେଖା ବିଜ୍ଞାନ, ଆଇ-ଚିଙ୍ଗ୍‌, ଟାରୋଟ ଓ ପାଶ୍ଚାତ୍ୟ ଜ୍ୟୋତିର୍ବିଦ୍ୟାର ବ୍ୟବହାର କରୁଥିଲେ। ଶେୟାର ବଜାର ଉତ୍ଥାନ ପତନ ଉପରେ ସେ ପୂର୍ବାନୁମାନ କରୁଥିଲେ। ଆମେରିକାରେ ସର୍ବଶ୍ରେଷ୍ଠ ଜ୍ୟୋତିର୍ବିଦର ପରିଚୟ ହାସଲ କରିଥିଲେ ବେଜାନ।

Share