Categories: ଜାତୀୟ

ଜ୍ୟୋତିରାଦିତ୍ୟଙ୍କୁ ଶୁଭେଚ୍ଛା ଜଣାଇଲେ ଦିଗ୍‌ବିଜୟ

ଭୋପାଳ,୧୧।୩: ମଧ୍ୟପ୍ରଦେଶ ରାଜନୀତି ଉପରେ ଏବେ ସାରା ଦେଶର ନଜର। ଗୋଟିଏ ପଟେ କଂଗ୍ରେସ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସରକାର ଭାଙ୍ଗିବାକୁ ଯାଉଥିବା ବେଳେ ଅନ୍ୟପଟେ ଭାରତୀୟ ଜନତା ପାର୍ଟି(ଭାଜପା) କଂଗ୍ରେସର ଜଣେ ଭଲ ଯୁବ ନେତାଙ୍କୁ ନିଜର କରିବାକୁ ଯାଉଥିବା ଆଲୋଚନା ହେଉଛି। ତେବେ ମଙ୍ଗଳବାର ମଧ୍ୟପ୍ରଦେଶର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ଦେବା ପରେ ଏବେ ଏହାକୁ ନେଇ ଚାଲିଛି ଆଲୋଚନା। ଶୁଣିବାକୁ ମିଳିଥିଲା କି କଂଗ୍ରେସ ଜ୍ୟୋତିରାଦିତ୍ୟଙ୍କୁ ଦଳରେ ଗୁରୁତ୍ୱ ନ ଦେବାରୁ ସେ ବାଧ୍ୟହୋଇ ଦଳ ଛାଡିଲେ। ହେଲେ ଏହାକୁ ଖଣ୍ଡନ କରିଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ। ସେ କହିଛନ୍ତି ଦଳ ତାଙ୍କୁ କେବେବି ଉପେକ୍ଷା କରିନାହିଁ। ଗତ ୧୬ ମାସ ମଧ୍ୟରେ ଜ୍ୟୋତିରାଦିତ୍ୟଙ୍କ ସହମତି ବିନା କୌଣସି କାର୍ଯ୍ୟ ହୋଇନାହିଁ ବୋଲି କହିଛନ୍ତି ଦିଗ୍‌ବିଜୟ। କଂଗ୍ରେସର ଯେ କୌଣସି ନେତାଙ୍କୁ ପଚାରିଲେ ସେମାନେ ବି କହିବେ ଜ୍ୟୋତିରାଦିତ୍ୟଙ୍କୁ କେବେବି ଉପେକ୍ଷା କରାଯାଇନାହିଁ। ତାଙ୍କର ଏହା ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ଦିଗ୍‌ବିଜୟ ଟୁଇଟ୍‌ କରି କହିଛନ୍ତି। ଅନ୍ୟପଟେ ଜ୍ୟୋତିରାଦିତ୍ୟ ଭାରତୀୟ ଜନତା ପାର୍ଟି(ଭାଜପ)ର ହାତ ଧରୁଥିବା ନେଇ ଚର୍ଚ୍ଚା ହେଉଥିବାରୁ ଦିଗ୍‌ବିଜୟ କହିଛନ୍ତି, ମୋଦି ଓ ଶାହାଙ୍କ ଛତ୍ରଛାୟା ତଳକୁ ଯାଇଥିବାରୁ ଜ୍ୟୋତିରାଦିତ୍ୟଙ୍କୁ ଅନେକ ଅନେକ ଶୁଭେଚ୍ଛା।

Share