Categories: ଜାତୀୟ

ଜୋମାଟୋରୁ ଖାଦ୍ୟ ଅର୍ଡର କରି ୮୦ହଜାର ଟଙ୍କାର ଠକେଇର ଶିକାର ହେଲେ ଯୁବତୀ

ହରିୟାଣା,୨୭।୭: ଯଦି ଜୋମାଟୋ ଭଳି ଅନଲାଇନ ଆପ୍‌ରୁ ଖାଇବା ଅର୍ଡର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ସାଇବର ଲୁଟେରାମାନେ ଏହି ଆପ୍‌ ଜରିଆରେ ଲୁଟ୍‌ କରୁଥିବା ମାମଲା ସାମ୍ନାକୁ ଆସିଛି। ହରିୟାଣାର ରୋହତକ ଅଞ୍ଚଳରେ ଥିବା ଏମ୍‌ଡି ବିଶ୍ୱବିଦ୍ୟାଳୟର ଏମ୍‌ଏ କରୁଥିବା ଜଣେ ଛାତ୍ରୀ ଖାଦ୍ୟ ଅର୍ଡର କରି ଏବେ ଅନୁତାପ କରୁଛନ୍ତି। କାରଣ ସାଇବର ଲୁଟେରା ଗ୍ୟାଙ୍ଗ ତାଙ୍କ ଆକାଉଣ୍ଟରୁ କିଛି ମିନିଟ୍‌ ମଧ୍ୟରେ ୮୦ ହଜାର ଟଙ୍କା ଲୁଟ୍‌ କରିଛନ୍ତି। ଏବେ ଛାତ୍ରୀ ଜଣକ ନିଜର ଟଙ୍କା ଫେରସ୍ତ ପାଇଁ ଜୋମାଟୋ ଅଫିସ ଓ ପୁଲିସ ଥାନାର ଚକ୍କର କାଟୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ସାକ୍ଷୀ ଅନ୍‌ଲାଇନ୍‌ରେ ଠକେଇର ଶିକାର ହୋଇଛନ୍ତି। ସାକ୍ଷୀ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିଥିଲେ। ଏଥିପାଇଁ ସେ ପେଟିଏମ୍‌ରୁ ଟଙ୍କା ଟ୍ରାନ୍ସଫର କରିଥିଲେ। ପ୍ରାୟ ଅଧଘଣ୍ଟା ଭିତରେ ଡେଲିଭରି ବୟ ତାଙ୍କୁ ଖାଇବା ଦେଇ ଚାଲିଯାଇଥିଲା। କିନ୍ତୁ ଯେତେବେଳେ ସେ ଖାଦ୍ୟ ପ୍ୟାକେଟ ଖୋଲିଥିଲେ ତାଙ୍କୁ ନିମ୍ନମାନର ଖାଦ୍ୟ ମିଳିଥିଲା। ସେ ତୁରନ୍ତ ଡେଲିଭରି ବୟକୁ ଫୋନ କରି ଖାଦ୍ୟ ଫେରାଇନେବାକୁ କହିଥିଲେ। ହେଲେ ଡେଲିଭରି ବୟ ଖାଦ୍ୟ ନେବାକୁ ମନା କରିବା ସହ କଷ୍ଟମର କେୟାର ସହ କଥା ହେବାକୁ କହିଥିଲେ। ଏହାପରେ ସାକ୍ଷୀ କଷ୍ଟମର କେୟାର ନିକଟକୁ ଫୋନ କରି ଖାଇବା ଫେରାଇ ନେଇ ତାଙ୍କ ଟଙ୍କା ଫେରସ୍ତ ଦେବା କଥା କହିଥିଲେ। ସାକ୍ଷୀଙ୍କ ସହ କଥା ହେଉଥିବା କଷ୍ଟମର କେୟାରର ଅଧିକାରୀ କଥା ହେବା ସହ ତାଙ୍କଠାରୁ ଆକାଉଣ୍ଟ, ଏଟିଏମ୍‌ ଓ ଫୋନ ନମ୍ବରର ସବିଶେଷ ତଥ୍ୟ ମାଗିଥିଲେ। ଏହାପରେ ତାଙ୍କ ଆକାଉଣ୍ଟରୁ ୮୦ ହଜାର ଟଙ୍କା ଲୁଟ୍‌ କରିନେଇଥିଲେ।

Share