ଜେଲ୍‌ରେ ପୂରାଇଥିବା ଦୁଇ ଝିଅଙ୍କୁ କାଢ଼: ଲେଖାଶ୍ରୀ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଜାନୁୟାରୀ ୨୬ତାରିଖ ଦିନ ଦୁଇ ଆଦିବାସୀ ଝିଅ ଦମୟନ୍ତୀ ଓ ପାର୍ବତୀଙ୍କୁ ରାଜ୍ୟ ସରକାର ପୋଲିସ ଲଗାଇ ପରେଡ୍‌ ଗ୍ରାଉଣ୍ଡରୁ ଉଠାଇ ନେଇଛନ୍ତି। ସେମାନଙ୍କୁ ଗିରଫ କରିବା ସହିତ ଦୁଇଜଣଙ୍କ ବିରୋଧରେ ୩୦୭ ସମେତ ୯ଟି ଆପରାଧିକ ଦଫା ଲଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଘଟଣା ବୋଲି ଭାଜପା ଅଭିଯୋଗ କରିଛି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଏ ସରକାରରେ ହାତୀ ଗଳିଯିବ କିନ୍ତୁ ପିମ୍ପୁଡ଼ି ଗଳିବାକୁ ବାଟ ନାହିଁ। ଗତ କିଛିଦିନ ତଳେ ଶାସକ ଦଳର କେତେଜଣ ଶିଖ୍‌ ବ୍ୟକ୍ତି ପରବିନ୍ଦରଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରି ପଥରରେ ଆଖିକୁ ମାରିବା ସହ ମୁଣ୍ଡ ଫଟାଇଲେ ମାତ୍ର ପୋଲିସ ଦଫା କମ୍‌ ଲଗାଇ ଅପରାଧୀଙ୍କୁ ଜାମିନ ଦେବାର ବ୍ୟବସ୍ଥା କରିଥିଲା । ପୋଲିସ ଅଧିକାରୀ ସ୍ଥାନୀୟ ବିଧାୟକଙ୍କ ସହ ଘଟଣାକୁ ଚାପିଦେବା ପାଇଁ ଧମକ ଦେବାକୁ ଜନୈକ ବ୍ୟକ୍ତିଙ୍କ ଘରକୁ ରାତି ଅଧରେ ଯାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ପୋଲିସ ଏଠି ତଦନ୍ତ ନାଁରେ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଇ ଚାଲିଛି ା ଅନ୍ୟପକ୍ଷରେ ନିଜ ଅଧିକାର ଦାବି ନେଇ ୨୦୧୫ରୁ ଧାରଣାରେ ବସିଥିବା ଦୁଇ ନିରୀହ ଝିଅଙ୍କ ସମସ୍ୟା ନ ବୁଝି ପୋଲିସ ତାଙ୍କୁ ଗିରଫ କରିବା ଆଉ ୩୦୭ ଧାରା ଲଗାଇବା ଅତ୍ୟନ୍ତ ନିନ୍ଦନୀୟ। ସେମାନେ ୫ ବର୍ଷ ହେବ ଧାରଣା ଦେଉଛନ୍ତି ହେଲେ ସେମାନଙ୍କ ସମସ୍ୟା ସମ୍ପର୍କରେ ସରକାର କେବେ ପଚାରି ନାହାନ୍ତି। ରାଜ୍ୟରେ କେବଳ ଏକଛତ୍ରବାଦୀ ଶାସନ ଚାଲିଛି। ସରକାର ତୁରନ୍ତ ସେହି ଦୁଇ ଝିଅଙ୍କ ଉପରେ ଲାଗିଥିବା ଦଫାକୁ ଉଠାଇ ସେମାନଙ୍କୁ ଜେଲ୍‌ରୁ କାଢ଼ନ୍ତୁ ବୋଲି ଲେଖାଶ୍ରୀ କହିଛନ୍ତି ।