କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କୋର୍ଟ କାର୍ଯ୍ୟ ସୀମିତ। ଫଳରେ କେନ୍ଦ୍ରାପଡ଼ା ସବ୍‌ଜେଲରେ ବିଚାରାଧୀନ କଏଦୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଠାରେ ମୋଟ ୧୯୦ ଜଣ କଏଦୀଙ୍କ ରହିବା ବ୍ୟବସ୍ଥା ଥିବାବେଳେ ଇତିମଧ୍ୟରେ ଏହି ସଂଖ୍ୟା ୨୨୦ରୁ ଊର୍ଦ୍ଧ୍ୱ ହୋଇଛି। ସୀମିତ ପରିସୀମାରେ କଏଦୀଙ୍କ ସଂଖ୍ୟା ବୃଦ୍ଧି କରୋନା ଭୂତାଣୁ ସଂକ୍ରମଣ ଭୟକୁ ବଢ଼ାଇ ଦେଇଛି। ନିକଟରେ ଉଚ୍ଚ ନ୍ୟାୟାଳୟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ତଥା ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିଡିଓ କନଫେରେନ୍ସିଂ ପରେ ବହୁ ବିଚାରାଧୀନ କଏଦୀ ଓ ଦୋଷୀଙ୍କୁ ଅନ୍ତରୀଣ ଜାମିନ ଅଥବା ପାରୋଲରେ ଛାଡିବା ପାଇଁ ଆଲୋଚନା ହୋଇଛି। ଏହାଦ୍ୱାରା ଜେଲରେ କରୋନା ସଂକ୍ରମଣରୁ ରକ୍ଷା ପାଇଁ ସାମାଜିକ ଦୂରତ୍ୱକୁ କାର୍ଯ୍ୟକାରୀ କରିହେବ। ତେବେ କେନ୍ଦ୍ରାପଡ଼ା ଜେଲରେ କଏଦୀଙ୍କ ସଂଖ୍ୟା ବୃଦ୍ଧି ନୂଆ ନୁହେଁ। ତଥ୍ୟ ଅନୁଯାୟୀ, ପ୍ରତିମାସ ପ୍ରାୟ ୩୫୦ରୁ ଅଧିକ ଅଭିଯୁକ୍ତ ଏହି ଜେଲରେ କିଛି ଦିନ ବା ସମୟ ପାଇଁ ରହିଥାନ୍ତି। ୨୦୧୮ରେ ଆଇନଜୀବୀଙ୍କ ଆନ୍ଦୋଳନ ସମୟରେ କଏଦୀଙ୍କ ଭିଡ଼ ଏକ ବିସ୍ଫୋରକ ସ୍ଥିତି ଆଣିଥିଲା। ଏହି ସମୟରେ ୫୧୯ ଜଣ କଏଦୀ ଏଠାରେ ରହିଥିଲେ। ଏଥିପାଇଁ ସେତେବେଳେ ୪୯ ଜଣ କଏଦୀଙ୍କୁ ଚୌଦ୍ୱାର ଜେଲକୁ ପଠାଯାଇଥିଲା। କଏଦୀଙ୍କ ସଂଖ୍ୟା ବୃଦ୍ଧି ସମସ୍ୟାର ସମାଧାନ ପାଇଁ ଜେଲ ପରିସର ନବୀକରଣ କରାଯିବା ଜରୁରୀ ହୋଇପଡିଛି। ବିଭିନ୍ନ ସମୟରେ ଗୃହ ବିଭାଗ ପକ୍ଷରୁ ଜିଲା ପ୍ରଶାସନ ନିକଟକୁ ଚିଠି ଆସିଥିବା ବେଳେ ଜେଲ କର୍ତ୍ତୃପକ୍ଷ ମଧ୍ୟ ଜିଲାପାଳଙ୍କୁ ଏ ନେଇ ଅବଗତ କରାଇଛନ୍ତି। ଡେରାବିଶ ତହସିଲ ଅଧୀନ ବାରିମୂଳଠାରେ ସ୍ଥାପିତ ଏହି ଜେଲର ପରିସୀମା ଏବେ ୪.୭୫ ଏକରରେ ସୀମିତ ଅଛି। ଏହାକୁ ୧୫ ଏକରରୁ ଅଧିକ ଆକାର ଦେବା ପାଇଁ ଜେଲ କର୍ତ୍ତୃପକ୍ଷ ୨୦୧୯ ଜୁନ ଓ ଜୁଲାଇରେ ଦୁଇଟି ଚିଠି ଜିଲାପାଳଙ୍କୁ ପ୍ରଦାନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ୨୦୧୯ ଅଗଷ୍ଟ ୧୯ ତାରିଖରେ ଡେରାବିଶ ତହସିଲଦାରଙ୍କୁ ଜେଲ ପରିସର ନିକଟରେ ଥିବା ସରକାରୀ ଜମି ଅନୁଧ୍ୟାନ କରିବାକୁ ଜିଲାପାଳ ଏକ ଚିଠି (୧୬୧୧) କରିଛନ୍ତି। ୭ ମାସ ପୂର୍ବର ଏହି ଚିଠିକୁ କାର୍ଯ୍ୟକାରୀ କରିବା ଏବେ ଜରୁରୀ ହୋଇଛି। ନ୍ୟାୟିକ ବ୍ୟବସ୍ଥାରେ ଜେଲ୍‌ ଏକ ଅପରିହାର୍ଯ୍ୟ ଅଙ୍ଗ। ଏହା ଦୋଷୀଙ୍କ ସଜା କାଟିବା ସହିତ ବିଚାରାଧୀନ କଏଦୀଙ୍କ ବାସସ୍ଥାନ। ଏହାର ପରିସର ବୃଦ୍ଧି ହେଲେ କଏଦୀଙ୍କ ସ୍ବାସ୍ଥ୍ୟ ପରୀକ୍ଷାଠାରୁ ଆରମ୍ଭ କରି କୁଟୀରଶିଳ୍ପର ବିଭିନ୍ନ କାର୍ଯ୍ୟକ୍ରମ ସୁଚାରୁ ରୂବେ ସମ୍ପାଦିତ ହୋଇପାରିବ।
– ଜଗନ୍ନାଥ ଧଳ