ଜେଲରେ ନୂଆ କଏଦୀଙ୍କ ପାଇଁ କ୍ୱାରାଣ୍ଟାଇନ ଓ୍ବାର୍ଡ

ସମ୍ବଲପୁର,୧୩।୪(ବ୍ୟୁରୋ)-କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ରାଜ୍ୟ ଓ ଦେଶ ବାହାରୁ ଆସିଥିବା ଲୋକଙ୍କୁ କ୍ବାରାନଣ୍ଟାଇନରେ ରଖିବାକୁ ବ୍ୟବସ୍ଥା କରାଯାଉଛି। ଏହାସହ ଅନେକ ଲୋକଙ୍କୁ ହୋମ୍‌ କ୍ବାରାନଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ସମ୍ବଲପୁର ମଣ୍ଡଳ କାରାଗାରରେ ମଧ୍ୟ କ୍ବାରାନଣ୍ଟାଇନ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ମାମଲାରେ ଗିରଫ ହୋଇ ଜେଲ ହାଜତକୁ ଯାଉଥିବା ନୂଆ କଏଦୀଙ୍କୁ କ୍ବାରାନଣ୍ଟାଇନରେ ରଖାଯାଉଛି । ସେମାନଙ୍କ ପାଇଁ ସ୍ବତନ୍ତ୍ର ୱାର୍ଡ ବ୍ୟବସ୍ଥା କରାଯାଇଛି । ସୋମବାର ମିଳିଥିବା ରିପୋର୍ଟ ଅନୁସାରେ ପ୍ରାୟ ୬୦ଜଣ କଏଦୀ କ୍ବାରାଣ୍ଟାଇନରେ ରହିଛନ୍ତି । ୧୪ ଦିନ କ୍ବାରାଣ୍ଟାଇନରେ ରହିଲା ପରେ ସେମାନଙ୍କୁ ସାଧାରଣ ୱାର୍ଡକୁ ସ୍ଥାନାନ୍ତରଣ କରାଯିବ।
ପୂର୍ବରୁ ୯୦ଜଣ କଏଦୀଙ୍କୁ କ୍ବାରାଣ୍ଟାଇନରେ ରଖି ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି ବୋଲି ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହାସହ ଜେଲର କ୍ଷମତା ୫୪୧ ଥିବା ବେଳେ ପ୍ରାୟ ୭୫୦ଜଣ କଏଦୀ ରହୁଥିଲେ । ୧୬୦ଜଣ ସଜା କାଟୁଥିବା କଏଦୀ ରହିଥିବା ବେଳେ ୫୯୨ଜଣ ବିଚାରାଧୀନ କଏଦୀ ରହିଥିଲେ। ତେଣୁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କମିଟି ଗଠନ ହୋଇ ବିଚାର ପୂର୍ବକ କଏଦୀମାନଙ୍କୁ ଖାଲି କରିବାକୁ ନିର୍ଦ୍ଦେଶ ରହିଥିଲା। ସେମାନଙ୍କୁ ଜାମିନ ଓ ଛୁଟି ଦେବାକୁ ପରାମର୍ଶ ଦିଆଯାଇଥିଲା । ଏହାକୁ ପାଳନ କରି ସମ୍ବଲପୁର ଜେଲ କର୍ତ୍ତୃପକ୍ଷ ୮୩ଜଣ କଏଦୀଙ୍କୁ କୋର୍ଟଙ୍କ ସହମତି କ୍ରମେ ଜାମିନ ପ୍ରଦାନ କରାଯାଇଛି। ସେହିପରି ୭୦ ଜଣ କଏଦୀଙ୍କୁ ଅନ୍ୟ ଜେଲକୁ ପଠାଇ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ସୋନପୁର ଜିଲା ବୀରମହାରାଜପୁର ଜେଲକୁ ୫୦ ଓ ବରଗଡ ଜିଲା ସୋହେଲା ଜେଲକୁ ୨୦ କଏଦୀ ପଠାଯାଇଛି । ଆଗକୁ ମଧ୍ୟ ଖାଲି କରାଯିବ । କରୋନା ମୁକାବିଲା ପାଇଁ ଜେଲ ଭିତରେ ସାନିଟାଇଜର କରାଯାଇଛି । ଏହାସହ ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ଅନ୍ୟ ନିୟମ ପାଳନ କରାଯାଉଛି ବୋଲି ଜେଲ କର୍ତ୍ତୃପକ୍ଷ କହିଛନ୍ତି।