Categories: ଖେଳ

ଜେଣ୍ଡାନାଙ୍କ ଡବଲରେ ଜାପାନ ବିଜୟୀ

ଭୁବନେଶ୍ୱର, ୭।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଶୁକ୍ରବାର ଏସୀୟ ଚାମ୍ପିୟନ ଜାପାନ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଏହି ଦଳ ୩-୧ ଗୋଲରେ ମେକ୍ସିକୋକୁ ପରାସ୍ତ କରିଛି। ଯୁବ ମେକ୍ସିକୋ ଦଳ ଭଲ ଖେଳିଥିଲେ ହେଁ ଜାପାନର ପ୍ରଦର୍ଶନ ଆଗରେ ହାର ମାନିଥିଲା। ବିଜୟ ଫଳରେ ଜାପାନ ୩ ପଏଣ୍ଟ ହାସଲ କରିଛି। ଡବଲ ଗୋଲ ସ୍କୋର କରି ଜାପାନ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ହିରୋତକା ଜେଣ୍ଡାନା ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଜେଣ୍ଡାନା ଏଠାରେ କ୍ୟାରିୟରର ୧୦୦ତମ ମ୍ୟାଚ ଖେଳିଥିଲେ।
ବିଶ୍ୱ ର଼୍ୟାଙ୍କିଙ୍ଗରେ ୧୮ ତମ ସ୍ଥାନରେ ଥିବା ଜାପାନ ବିପକ୍ଷରେ ୩୯ତମ ର଼୍ୟାଙ୍କ୍‌ ଦଳ ମେକ୍ସିକୋ ଆରମ୍ଭରୁ ଗୋଲ ଦେଇ ଚାପ ପକାଇବାରେ ସକ୍ଷମ ହୋଇଥିଲା। ମ୍ୟାଚର ୩ୟ ମିନିଟରେ ଏରିକ୍‌ ହର୍ନାଣ୍ଡେଜ୍‌ ଏକ ଫିଲ୍ଡ ଗୋଲ ଦେଇ ମେକ୍ସିକୋକୁ ଅଗ୍ରଣୀ କରାଇଥିଲେ। ମାତ୍ର ଦଳର ଏହି ଖୁସି ବେଶି ସମୟ ତିଷ୍ଠି ନ ଥିଲା। ଏହାର ଅଳ୍ପକିଛି ସେକେଣ୍ଡ ବ୍ୟବଧାନରେ ଅର୍ଥାତ୍‌ ସେହି ୩ୟ ମିନିଟରେ ଜାପାନର ହିରୋତକା ଜେଣ୍ଡାନା ପେନାଲ୍ଟି କର୍ନରରୁ ଡ୍ରାଗ୍‌ ଫ୍ଲିକ୍‌ ଜରିଆରେ ଗୋଲ ଦେଇ ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ମ୍ୟାଚ ଆଗକୁ ବଢ଼ିବା ସହ ଜାପାନ କ୍ରମେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଦ୍ୱିତୀୟ କ୍ବାର୍ଟରରେ ମ୍ୟାଚର ୨୧ତମ ମିନିଟରେ ମେକ୍ସିକୋ ଖେଳାଳିଙ୍କ ବିପଜ୍ଜନକ ପ୍ରଦର୍ଶନ ଯୋଗୁ ଜାପାନକୁ ପେନାଲ୍ଟି ଷ୍ଟ୍ରୋକ୍‌ ମିଳିଥିଲା। ଶୋତା ୟାମାଦା ଏହାକୁ ଗୋଲରେ ପରିଣତ କରିବାରୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଜାପାନ ୨-୧ ଗୋଲରେ ଅଗ୍ରଣୀ ନେଇଥିଲା।
ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ଅର୍ଥାତ୍‌ ୩୪ତମ ମିନିଟରେ ଜାପାନକୁ ମିଳିଥିବା ପେନାଲ୍ଟି କର୍ନରକୁ ହିରୋତକା ଜେଣ୍ଡାନା ଗୋଲରେ ପରିଣତ କରିବାରୁ ଜାପାନର ଅଗ୍ରଣୀ ବ୍ୟବଧାନ ୩-୧ରେ ପହଞ୍ଚତ୍ ଯାଇଥିଲା। ମ୍ୟାଚରେ ଜେଣ୍ଡାନାଙ୍କର ଏହାଥିଲା ଦ୍ୱିତୀୟ ଗୋଲ। ଏହାପରେ କିନ୍ତୁ ଜାପାନକୁ କଡ଼ା ଟକ୍କର ଦେଇଥିଲା ମେକ୍ସିକୋ। ଜାପାନ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ହେଁ ମେକ୍ସିକୋ ଡିଫେଣ୍ଡର ଓ ଗୋଲକିପର ଜୋସ ହେର୍ନାଣ୍ଡେଜ ଚମତ୍କାର ପ୍ରଦର୍ଶନ କରି ଆଉ ଗୋଲ ହେବାକୁ ଦେଇ ନ ଥିଲେ। ଶନିବାର ଜାପାନ ଏହାର ପରବର୍ତ୍ତୀ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଏବଂ ଆମେରିକା ବିପକ୍ଷରେ ମେକ୍ସିକୋ ଖେଳିବ।

Share