ଜେଏମ୍‌ଏଫସି କୋର୍ଟ ସ୍ଥାନାନ୍ତରକୁ ବିରୋଧ

ଜଳେଶ୍ୱର, ୯ା୯-ବାଲେଶ୍ୱର ଜିଲା ଜଳେଶ୍ୱରରେ ଥିବା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ଜେଏମଏଫସି)ଙ୍କ କୋର୍ଟ ସ୍ଥାନାନ୍ତରକୁ ନେଇ ବୁଦ୍ଧିଜୀବୀ ମହଲରେ ବିରୋଧ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜଳେଶ୍ୱର ବୁଦ୍ଧିଜୀବୀ ସଚେତନତା ସଙ୍ଗଠନ ପକ୍ଷରୁ ଏକ ବୈଠକ ରବିବାର ଜଳେଶ୍ୱର ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସିପିଏମ୍‌ ନେତା ସିତାଂଶୁ ସେନାପତି ସଭାପତିତ୍ୱ କରିଥିଲେ। ଏହି କୋର୍ଟ ଲକ୍ଷ୍ମଣନାଥ ନିକଟକୁ ସ୍ଥାନାନ୍ତର ହେଲେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଏହି ସ୍ଥାନ ବସ୍‌ଷ୍ଟାଣ୍ଡ, ରେଳଷ୍ଟେଶନ ଓ ଜଳେଶ୍ୱର ସହରଠାରୁ ବହୁ ଦୂରରେ ଅବସ୍ଥିତ। ତେଣୁ ସେଠାକୁ ଯିବା ଆସିବାରେ ଲୋକମାନେ ଅଧିକା ଖର୍ଚ୍ଚାନ୍ତ ହେବେ। ସେଠାରେ ହୋଟେଲ, ଜଳଖିଆ ଦୋକାନ, ବଜାର ନ ଥିବାରୁ ସେଠାକୁ ଯାଉଥିବା ଲୋକମାନେ ଅସୁବିଧାରେ ପଡିବେ। ନିକଟରେ ପଶ୍ଚିମବଙ୍ଗ ସୀମା ହୋଇଥିବାରୁ ଅପରାଧୀମାନେ ସହଜରେ ଖସିଯିବାର ସମ୍ଭାବନା ରହିଛି। ନିକଟରେ ୬୦ନଂ. ଜାତୀୟ ରାଜପଥ ଯାଇଥିବାରୁ ଦୁର୍ଘଟଣାର ଆଶଙ୍କା ଅଧିକ ରହିଛି ବୋଲି ମତ ପ୍ରକାଶ ପାଇଥିଲା। ଏଭଳି ବିଭିନ୍ନ ସମସ୍ୟା ଥିବାରୁ ସହର ମଧ୍ୟରେ କୋର୍ଟ ସ୍ଥାପନ କରିବା ପାଇଁ ସଙ୍ଗଠନ ସଦସ୍ୟମାନେ ଦୃଢ ଦାବି ଜଣାଇଥିଲେ। ଏଥିପ୍ରତି ଗୁରୁତ୍ୱ ଦିଆ ନ ଗଲେ ଆସନ୍ତା ୨୪ତାରିଖ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଜଳେଶ୍ୱର ବନ୍ଦ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ବନ୍ଦ ସମୟରେ ଡାକ୍ତରଖାନା, ଔଷଧ ଦୋକାନ, ଆମ୍ବୁଲାନ୍ସ ସେବା, ଟ୍ରେନକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଅନୁଷ୍ଠାନ, କୋର୍ଟ, କଚେରି, ସ୍କୁଲ, କଲେଜ ଆଦି ବନ୍ଦ ରହିବ ବୋଲି କୁହାଯାଇଛି। ବୈଠକରେ ବରିଷ୍ଠ ଆଇନଜୀବୀ ଜିତାଂଶୁ ନନ୍ଦୀ, ସିପିଏମ ନେତା ଦିଲୀପ ଗିରି, ଭାଜପା ନେତା ଅରୁଣ ବେଜ, ପୂର୍ବତନ ବିଧାୟକ ଦେବୀପ୍ରସନ୍ନ ଚାନ୍ଦ, ବିଜେଡି ନେତା ବାଣୀ ଦାସମହାପାତ୍ର, ଶ୍ରୀକୁମାର କୃଷ୍ଣ କର, ସୁବ୍ରତ ବେରା, ଅଶୋକ କୁମାର ଜେନା, ଭାସ୍କର ମିଶ୍ର, ସିଦ୍ଧେଶ୍ୱର ତ୍ରିପାଠୀ, ଗଣେଶ ଚନ୍ଦ୍ର ମାଇତି, ନିତ୍ୟାନନ୍ଦ ଦାସ, ବନଜା ଦାସ, ଦେବଯାନୀ ଅଣ୍ଡିଆ, ରୀତା ଭୋଇ, କାର୍ତ୍ତିକ ଚନ୍ଦ୍ର ଗିରି, ଖଗେନ୍ଦ୍ର ସାହୁ ଓ ଗଣେଶ ଜେନା ପ୍ରମୁଖ ବହୁ ବୁଦ୍ଧିଜୀବୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।