Categories: ଜାତୀୟ

ଜେଏନ୍‌ୟୁ ଛାତ୍ରୀଛାତ୍ରଙ୍କୁ ଲାଠିଚାର୍ଜ

ନୂଆଦିଲ୍ଲୀ, ୧୦ା୧୨: ହଷ୍ଟେଲ ଫି ବୃଦ୍ଧି ପ୍ରତିବାଦରେ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର ଛାତ୍ରୀଛାତ୍ରମାନେ ବିକ୍ଷୋଭ କରିବା ସହ ସରୋଜିନୀ ନଗର ଅଞ୍ଚଳରୁ ରାଷ୍ଟ୍ରପତି ଭବନ ଆଡ଼କୁ ଯାଉଥିବାବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଯାଇ ଲାଠିଚାର୍ଜ କରିଛି। ଭିକାଜି କାମା ପ୍ଲେସ୍‌ ମେଟ୍ରୋ ଷ୍ଟେଶନଠାରେ ବିକ୍ଷୋଭକାରୀମାନଙ୍କୁ ପୋଲିସ କର୍ଡନ କରି ଅଟକାଇବାବେଳେ ଠେଲାପେଲା ହୋଇଥିଲା। ପରେ ଛାତ୍ରୀଛାତ୍ରମାନେ ସେଠାରେ ଥିବା ବାରିକେଡ୍‌ ଡେଇଁ ଯିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରିଥିଲା। ମାସେବ୍ୟାପୀ ଏଭଳି ପ୍ରତିବାଦ ବିକ୍ଷୋଭ କରାଯାଉଥିଲେ ହେଁ ଜେଏନ୍‌ୟୁ କର୍ତ୍ତୃପକ୍ଷ ସେମାନଙ୍କ କଥା ଶୁଣୁ ନ ଥିବାରୁ ଛାତ୍ରୀଛାତ୍ରମାନେ କ୍ଷୋଭ ପ୍ରକାଶ କରିଛନ୍ତି। ହଷ୍ଟେଲ ଫି ୩୦୦% ବୃଦ୍ଧିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଲାଗି ସେମାନେ ଦାବି କରିଆସୁଛନ୍ତି। ଏମିତିକି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଇ-ମେଲ୍‌ ଜରିଆରେ ଛାତ୍ରୀଛାତ୍ରମାନେ ଫି ବୃଦ୍ଧି ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଏହାଛଡ଼ା କୁଳପତିଙ୍କ ଇସ୍ତଫା, ବିକ୍ଷୋଭକାରୀ ଛାତ୍ରୀଛାତ୍ରଙ୍କ ବିରୋଧରେ ଲଗାଯାଇଥିବା ପୋଲିସ ମାମଲା ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଥିଲେ। ପରିସ୍ଥିତିକୁ ସୁଧାରିବା ସହ ଶାନ୍ତି ବଜାୟ ରଖିବା ଲାଗି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏକ ୩ଜଣିଆ କମିଟି ଗଠନ କରାଯାଇ ବିକ୍ଷୋଭକାରୀ ଛାତ୍ରୀଛାତ୍ର ଓ ଜେଏନ୍‌ୟୁ ପ୍ରଶାସନ ମଧ୍ୟରେ ବୁଝାମଣା ଲାଗି ପ୍ରୟାସ କରାଯାଇଥିଲା। କମିଟି ମନ୍ତ୍ରଣାଳୟରେ ରିପୋର୍ଟ ଦାଖଲ କରିଥିଲେ ହେଁ ମାସେ ପରେ ବି କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ପାରିନାହିଁ। ଏହାକୁ ନେଇ ଛାତ୍ର ଅଶାନ୍ତି ବଢ଼ିବାରେ ଲାଗିଛି।

Share