ଜୁହି @୫୨:ପ୍ରଥମେ ଜୟଙ୍କୁ ପସନ୍ଦ କରୁ ନ ଥିଲେ ଜୁହି, ଏହି କାରଣରୁ କଲେ ବିବାହ

ବଲିଉଡ୍‌ ଅଭିନେତ୍ରୀ ଜୁହି ଚାୱାଲା ଆଜି ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୭ ମସିହାରେ ଅମ୍ବାଲାରେ ଜନ୍ମଗ୍ରହଣ କରିଥିଲେ ଜୁହି। ମିସ ଇଣ୍ଡିଆ ଟାଇଟଲ ହାସଲ କରିବା ପରେ ସେ ଫିଲ୍ମ ଲାଇନରେ ପାଦ ଥାପିଥିଲେ। ତାଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ‘ସୁଲତାନତ୍‌’ ଯାହା ୧୯୮୬ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ଜୁହି ଚାୱାଲା ସହଅଭିନେତ୍ରୀ ଭାବେ ନଜର ଆସିଥିଲେ। ଏଥିରେ ନାୟକ ଭୂମିକାରେ ଅଭିନୟ କରିଥିଲେ ସନି ଦେଓଲ। ତେବେ ଜୁହି ଚାୱାଲା ମନସୂର ଖାନଙ୍କ ନିର୍ଦ୍ଦେଶିତ ୧୯୮୮ର ବ୍ଲକବ୍ଲାଷ୍ଟର ସିନେମା ‘କୟାମତ ସେ କୟାମତ ତକ’ ରେ ଷ୍ଟାରଡମ ପାଇଥିଲେ। ଏହି ଫିଲ୍ମରେ ଜୁହିଙ୍କ ବିପକ୍ଷରେ ନଜର ଆସିଥିଲେ ମିଷ୍ଟର ପରଫେକ୍ନିଷ୍ଟ ଅମିର ଖାନ। ପ୍ରଥମ ସିନେମାରେ ଅମିର ଓ ଜୁହିଙ୍କ ଯୋଡିକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଆଉ ଏହାପରେ ଜୁହି ଚାୱାଲା ପଛକୁ ଫେରି ଚାହିଁ ନ ଥିଲେ। ‘କୟାମତ ସେ କୟାମତ ତକ’ ପରେ ‘ବୋଲ ରାଧା ବୋଲ’, ‘ରାଜୁ ବନଗୟା ଜେଣ୍ଟେଲ ମ୍ୟାନ’, ‘ଆଇନା’, ‘ହମ ହେ ରାହି ପ୍ୟାର କେ’ ଓ ‘ଡର୍‌’ ଆଦି ହିନ୍ଦୀ ସିନେମା ଜୁହି ଚାୱାଲାଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା। ୧୯୯୨ରେ ଫିଲ୍ମ ‘କାରୋବାର’ ଶୁଟିଂ ସମୟରେ ବ୍ୟବସାୟୀ ଜୟ ମେହେତାଙ୍କୁ ଭେଟିଥିଲେ। ସେ ଶୁଟିଂ ସେଟ୍‌କୁ ବାରମ୍ବାର ଆସୁଥିଲେ ମଧ୍ୟ ଜୁହି ତାଙ୍କୁ ପସନ୍ଦ କରୁ ନ ଥିଲେ। କିନ୍ତୁ ନିର୍ଦ୍ଦେଶକ ରାକେଶ ରୋଶନଙ୍କ କଥା ମାନି ଜୁହି ଜୟଙ୍କ ସହ କଥା ହୋଇଥିଲେ। ପ୍ରଥମେ ସାକ୍ଷାତରେ ପ୍ରଥମ ସ୍ତ୍ରୀ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା କଥା କହିଥିଲେ। ତାଙ୍କଠାରୁ ଏଭଳି କଥା ଶୁଣିବା ପରେ ଜୁହିଙ୍କ ମନ ତରଳି ଯାଇଥିଲା। ଆଉ ସେ ଜୟଙ୍କ ପ୍ରେମ କରିବସିଥିଲେ। ଉଭୟ ୧୯୯୫ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

Share