ଜୁଲାଇ ୮ରୁ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା

କଟକ ଅଫିସ,୧୩ା୬ : ଜୁଲାଇ ୮ ତାରିଖରୁ ଆରମ୍ଭ ହେବ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ। କେବଳ ଗଣିତ ପରୀକ୍ଷା ନିମନ୍ତେ ୧୫ ମିନିଟ ଅଧିକ ସମୟ ଦିଆଯିବ। ଏଥିପାଇଁ ଗତ ୪ ତାରିଖରୁ ଫର୍ମପୂରଣ ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୭ ତାରିଖ ହେଉଛି ଫର୍ମ ଦାଖଲର ଶେଷ ଦିନ। ବୋର୍ଡ ସମ୍ପାଦକ ରାମାଶିଷ ହାଜରା ଓ ପରୀକ୍ଷା ନିୟନ୍ତ୍ରକ ଡ. ନିହାର ରଞ୍ଜନ ମହାନ୍ତି ଗୁରୁବାର ବୋର୍ଡ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ଜୁଲାଇ ୧୪ ତାରିଖରେ ସରିବ। ତେବେ ପ୍ରଥମ ଦିନ ୮ ତାରିଖରେ ପ୍ରଥମ ଭାଷା, ୯ରେ ଦ୍ୱିତୀୟ ଭାଷା, ୧୦ରେ ତୃତୀୟ ଭାଷା ଓ ମୂକ,ବଧିର ପରୀକ୍ଷାର୍ଥୀଙ୍କ ପାଇଁ ଭିଜୁଆଲ ଆର୍ଟ ଥିଓରି ପରୀକ୍ଷା, ୧୧ରେ ଗଣିତ, ୧୨ରେ ବିଜ୍ଞାନ, ୧୩ରେ ସାମାଜିକ ବିଜ୍ଞାନ ଓ ୧୪ ତାରିଖରେ ଭିଜୁଆଲ ଆର୍ଟ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ଭିଜୁଆଲ ଆର୍ଟ ଥିଓରି ପରୀକ୍ଷା କରାଯାଇଥିବା କେନ୍ଦ୍ରରେ ହିଁ ଭିଜୁଆଲ ଆର୍ଟର ପ୍ରାକ୍ଟିକାଲ ପରୀକ୍ଷା ହେବ। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମଦିନ ୮ ତାରିଖରେ ଇଂଲିଶ, ୯ରେ ଓଡ଼ିଆ ଓ ଅନ୍ୟାନ୍ୟ ପ୍ରଥମ ଭାଷା, ୧୦ରେ ଗଣିତ, ୧୧ରେ ସାମାଜିକ ବିଜ୍ଞାନ, ୧୨ରେ ବିଜ୍ଞାନ, ୧୩ରେ ପେଣ୍ଟିଂ(ଥିଓରି), ୧୪ରେ ପେଣ୍ଟିଂ(ପ୍ରାକ୍ଟିକାଲ), ୧୫ରେ ଗୃହବିଜ୍ଞାନ(ଥିଓରି ଓ ପ୍ରାକ୍ଟିକାଲ), ୧୬ ତାରିଖରେ ଭାରତୀୟ ସଂସ୍କୃତି ଓ ଐତିହ୍ୟ ପରୀକ୍ଷା କରାଯିବ। ତେବେ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାର କେବଳ ପେଣ୍ଟିଂ ଥିଓରି ୯ଟାରୁ ୧୦ଟା ୩୦ ଓ ପେଣ୍ଟିଂ ପ୍ରାକ୍ଟିକାଲ ୯ଟାରୁ ୧୨ଟା ପର୍ଯ୍ୟନ୍ତ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।