ଜୁଲାଇ ୪ରେ ରଥଯାତ୍ରା: ବସିଲା ତୃତୀୟ ସମନ୍ବୟ ବୈଠକ

ପୁରୀ ଅଫିସ,୧୩।୬: ଚଳିତବର୍ଷ ରଥଯାତ୍ରାର ତୃତୀୟ ସମନ୍ବୟ ବୈଠକ ନୀଳାଦ୍ରି ଭକ୍ତ ନିବାସରେ ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି। ଏଥିରେ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହଡ଼ା ଯାତ୍ରା, ସୁନାବେଶ, ନୀଳାଦ୍ରିବିଜେ ସମ୍ପର୍କରେ ଆଲୋଚନା ହେବ। ଏହି ସମୟରେ ପ୍ରଶାସନିକ ବ୍ୟବସ୍ଥା କିଭଳି ଶୃଙ୍ଖଳିତ ଭାବେ ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରାଯିବ। ବିଶେଷକରି ରାସ୍ତାଘାଟ, ସ୍ବାସ୍ଥ୍ୟ ପରିମଳ, ବିଦ୍ୟୁତ୍‌ ସେବା, ପରିବହନ, ରେଳ ଚଳାଚଳ, ଯାତ୍ରୀଙ୍କ ରହଣି ବ୍ୟବସ୍ଥା ଉପରେ ଆଲୋଚନା କରାଯିବ। ଏତଦ୍‌ ବ୍ୟତୀତ ରଥ ନିର୍ମାଣଠାରୁ ରଥ ଦଉଡ଼ି ଯୋଗାଣ, ରଥଯାତ୍ରାର ଶୃଙ୍ଖଳିତ ନୀତିକ୍ରାନ୍ତି, ସେବାପୂଜା, ସହରରେ ଟ୍ରାଫିକ୍‌ ନିୟନ୍ତ୍ରଣ ଓ ସୁରକ୍ଷା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ବୈଠକ ପୂର୍ବରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୈଠକ ଥିବାରୁ ଏଥିରେ ବିଭିନ୍ନ ବିଭାଗର ମନ୍ତ୍ରୀ ଉପସ୍ଥିତ ଅଛନ୍ତି। ଫନୀ ବାତ୍ୟା ଯୋଗୁ ସହରରେ ଠପ୍‌ ହୋଇଥିବା ବିଦ୍ୟୁତ୍‌ ସେବା ଯଦିଓ ପୁରୀ ସହରକୁ ଆସିଯାଇଛି, ମାତ୍ର ଗ୍ରାମାଞ୍ଚଳରେ ଯଦି ନ ଆସିବ ଯାତ୍ରାର ମାହୋଲ ଫିକା ପଡ଼ିଯିବାର ସମ୍ଭାବନା ରହିଛି। ଏଣୁ ବୈଠକରେ ଏ ନେଇ ମଧ୍ୟ ଗୁରୁତ୍ୱ ଦିଆଯାଇପାରେ ବୋଲି ଆଶା କରାଯାଉଛି।