ଜୁଲାଇ ୧ରୁ ଖୋଲିବ ଇଞ୍ଜିନିୟରିଂ କଲେଜ: ବାକି ଥିବା ପରୀକ୍ଷା ସହ ନାମଲେଖା ନେଇ ଚିଠି

ଭୁବନେଶ୍ୱର, ୩।୫(ବ୍ୟୁରୋ): ଦେଶର ସମସ୍ତ ଇଞ୍ଜିନିୟରିଂ କଲେଜ ଓ ପ୍ରଫେସନାଲ ଏଜୁକେଶନ ଇନ୍‌ଷ୍ଟିଚ୍ୟୁଟ୍‌ ଆସନ୍ତା ଜୁଲାଇ ୧ରୁ ଖୋଲିବ। ଏନେଇ ଅଲ୍‌ ଇଣ୍ଡିଆ କାଉନ୍‌ସିଲ ଫର୍‌ ଟେକ୍ନିକାଲ ଏଜୁକେଶନ(ଏଆଇସିଟିଇ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରୀଛାତ୍ରଙ୍କ ପରୀକ୍ଷା ଓ ଶିକ୍ଷାବର୍ଷକୁ ନେଇ ମଧ୍ୟ ଏଆଇସିଟିଇ ସ୍ବତନ୍ତ୍ର ଗାଇଡ୍‌ଲାଇନ ଜାରି କରିଛି। ଏ ସଂକ୍ରାନ୍ତରେ ଦେଶର ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସମେତ ସବୁ ରାଜ୍ୟର ବିଭାଗୀୟ ସଚିବଙ୍କୁ ଚିଠି ଲେଖାଯାଇଛି।
କରୋନା ଯୋଗୁ ଶିକ୍ଷାବର୍ଷ ପ୍ରଭାବିତ ହୋଇଥିବାବେଳେ କିଛି ପରୀକ୍ଷା ବାକି ରହିଯାଇଛି। କେବଳ ବାକି ଥିବା ସେମିଷ୍ଟର ପରୀକ୍ଷା ହେବ। ଟର୍ମିନାଲ ସେମିଷ୍ଟର ଓ ଇଣ୍ଟରମିଡିଏଟ୍‌ ସେମିଷ୍ଟର ପରୀକ୍ଷାକୁ ଜୁଲାଇ୧ରୁ ୩୧ମଧ୍ୟରେ କରାଯିବ ବୋଲି କୁହାଯାଇଛି। ତେବେ ଅନ୍ୟବର୍ଷର ପରୀକ୍ଷା ନ କରାଇ ଛାତ୍ରୀଛାତ୍ରଙ୍କୁ ଇଣ୍ଟରନାଲ ମାର୍କକୁ ଧ୍ୟାନରେ ରଖି ପ୍ରମୋଶନ ଦିଆଯିବ ବୋଲି ଉକ୍ତ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଏହାଛଡ଼ା ଚଳିତବର୍ଷ ଆଡ଼ମିଶନ ନେବାକୁ ଥିବା ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଅଗଷ୍ଟ ପହିଲାରୁ ଆରମ୍ଭ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚଳିତବର୍ଷ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଫି’ ବୃଦ୍ଧି ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।