ଜୁଲାଇ ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁବ ୨୧ ଲକ୍ଷ !

ଓ୍ବାଶିଂଟନ,୨୫।୫: ଭାରତ ଏବେ କରୋନା ଭାଇରସ ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟି ଯାଇଛି। ଗତ କିଛିଦିନ ହେବ ଏଠାରେ ୨୪ ଘଣ୍ଟାରେ ୬ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଫଳରେ ଏବେ ଏହା ଉଭୟ ସରକାର ଓ ସାଧାରଣ ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏବେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧,୩୮,୫୦୦। ଭାରତ ଏବେ କରୋନା ସଂକ୍ରଣରେ ଟପ୍‌ ଟେନ୍‌ ଦେଶ ତାଲିକାରେ ସ୍ଥାନ ପାଇଲାଣି। ଏବେ ୟୁନିଭର୍ସିଟି ଅଫ୍‌ ମିସିଗାନ ଓ ଜନ୍‌ ହପକିନ୍ସ ୟୁନିଭର୍ସିଟି ଚେତାବନୀ ଦେଇଛନ୍ତି କି ଭାରତରେ ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧ ଲକ୍ଷ ହୋଇଯିବ। ୟୁନିଭର୍ସିଟି ଅଫ୍‌ ମିସିଗାନ୍‌ର ବାୟୋଷ୍ଟାଟିସ୍‌ଟିକ୍ସ ଓ ମହାମାରୀ ରୋଗର ବିଶେଷଜ୍ଞ ପ୍ରଫେସର ଭ୍ରମର ମୁଖାର୍ଜୀ କହିଛନ୍ତି କରୋନା ଭାଇରସ ସଂକ୍ରମଣ କ୍ଷେତ୍ରରେ ଭାରତର ସ୍ଥିତି ଆହୁରି ଗମ୍ଭୀର ହେବାକୁ ଯାଉଛି। ଏବେ ଭାରତରେ କରୋନା ଭାଇରସ ସଂକ୍ରମଣର ପ୍ରକ୍ରିୟା ଦ୍ରୁତ ଗତିରେ ମାଡି ଚାଲିଛି। ଦେଶରେ ୧୩ ଦିନରେ ୨ ଗୁଣା ହେଉଛି କରୋନାର ସ୍ଥିତି। ଅନ୍ୟପଟେ ସରକାର ଲକ୍‌ଡାଉନରେ କୋହଳ କରିବା କରୋନା ସ୍ଥିତିକୁ ଆହୁରି ଖରାପ କରିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ପ୍ରଫେସର ମୁଖାର୍ଜୀଙ୍କ ଟିମ୍‌ ଏପ୍ରିଲରେ ସର୍ବ ପ୍ରଥମେ କହିଥିଲେ କି ଭାରତରେ ମେ’ ମାସ ମଧ୍ୟଭାଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଛୁଇଁବ। ଯାହା ସତ ପ୍ରମାଣିତ ହୋଇଛି। ଆଉ ମେ’ ଶେଷ ବେଳକୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୩୮,୮୪୫ରେ ପହଞ୍ଚିଛି। ଏବେ ପୁଣିଥରେ ପ୍ରଫେସର ମୁଖାର୍ଜୀଙ୍କ ଟିମ୍‌ ପୂର୍ବାନୁମାନ କରିଛନ୍ତି କି ଜୁଲାଇ ମାସ ଆରମ୍ଭରୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬,୩୦.୦୦୦ରୁ ୨୧ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିପାରେ। ଜନ୍‌ ହପକିନ୍ସ ୟୁନିଭର୍ସିଟି ଓ ପ୍ରଫେସର ମୁଖାର୍ଜୀଙ୍କ ଟିମ୍‌ ଭାରତର ସ୍ବାସ୍ଥ୍ୟ ବ୍ୟବସ୍ଥା ଓ ହସ୍ପିଟାଲରେ ଥିବା ବେଡ୍‌, ଭେଣ୍ଟିଲେଟରର ଅଭାବକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

Share