Categories: ଗଞ୍ଜାମ

ଜୁଲାଇରୁ ଆରମ୍ଭ ହେବ ‘ନିର୍ଭୟ କଢି’

ଛତ୍ରପୁର,୨୯।୬(ଡି.ଏନ.ଏ.)-ଛତ୍ରପୁରସ୍ଥିତ ସର୍ବଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷରେ ଶୁକ୍ରବାର ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଜିଲା ଶିଶୁ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଜିଲାରେ ଯେପରି ଗୋଟିଏ ବି ବାଲ୍ୟବିବାହ ହେବନି ଏବଂ ଶିଶୁ ଶ୍ରମିକ ରହିବେନି ତାହା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ ା ଜିଲାର ମହିଳା ସଂଘ ସଦସ୍ୟାମାନେ ଏଥିପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ ବୋଲି ଜିଲାପାଳ କହିଥିଲେ। ଆଗାମୀ ଦିନରେ ଏସବୁକୁ ରୋକିବା ପାଇଁ ଜିଲା, ବ୍ଲକ ଓ ପଞ୍ଚାୟତସ୍ତରୀୟ କମିଟି ଗଠନ କରିବାକୁ କୁହାଯାଇଛି ା ଜୁଲାଇ ପ୍ରଥମ ସପ୍ତାହରୁ ଜିଲାରେ ପ୍ରଥମଥର ପାଇଁ ଜିଲା ପ୍ରଶାସନ ପକ୍ଷରୁ ‘ନିର୍ଭୟ କଢି’ ନାମକ କାର୍ଯ୍ୟକ୍ରମ ଆରମ୍ଭ ହେବ ା ଏହି କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ରୋକିବା ଏବଂ ଶିଶୁମାନଙ୍କ ସୁରକ୍ଷା ଓ ସେମାନଙ୍କ ବିକାଶ ଉପରେ ସଚେତନ କରାଯିବ। ଯେ କୌଣସି ବିବାହ ସମୟରେ ବରକନ୍ୟାଙ୍କ ଆଧାର କାର୍ଡ ଯାଞ୍ଚ କରାଯାଇ ସେମାନଙ୍କର ବିବାହଯୋଗ୍ୟ ବୟସ ହୋଇଛି କି ନାହିଁ ସେ ସମ୍ପର୍କରେ କମିଟି ତଦାରଖ କରିବ ବୋଲି କୁହାଯାଇଛି ା ବୟସ କମ୍‌ ହୋଇଥିଲେ ଉକ୍ତ ଅଞ୍ଚଳର ଜନପ୍ରତିନିଧି, ଗାଁ ମୁଖିଆ, କୌଳିକ ସଙ୍ଗଠନର କର୍ମକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଆପୋସ ବୁଝାମଣାରେ ବିବାହ ବନ୍ଦ ନ ହେଲେ ଆଇନଗତ ପନ୍ଥା ଗ୍ରହଣ କରାଯିବ ।
ପ୍ରତି ମାସରେ ପଞ୍ଚାୟତସ୍ତରରେ ବାଲ୍ୟ ବିବାହ ରୋକିବା ଉପରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ବାହାଘର ସମୟରେ ଅଯଥା ଅଧିକ ଟଙ୍କା ଖର୍ଚ୍ଚ ନ କରିବା ଉପରେ ସଚେତନ କରାଯାଇ ଆଗାମୀ ଦିନରେ ସମୂହ ବିବାହ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଚେଷ୍ଟା କରାଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି। ବର ଓ କନ୍ୟାପକ୍ଷ ବଳକା ଟଙ୍କା କୌଣସି ସ୍କୁଲ, ମେଡିକାଲ କିମ୍ବା ଭଲ କାର୍ଯ୍ୟରେ ବିନିଯୋଗ କରିପାରିବେ । ଓଡିଶାରେ ବାଲ୍ୟବିବାହ ୨୧ ପ୍ରତିଶତ ଥିବାବେଳେ ଗଞ୍ଜାମ ଜିଲାରେ ଏହା ୨୯ ପ୍ରତିଶତ ରହିଛି। ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ସିଡବ୍ଲ୍ୟୁସି ସଦସ୍ୟ ହରିହର ପାଢୀ, ଚାଇଲ୍ଡ ଲାଇନର ସୁଧୀର ସାବତ, ଜ୍ୟୋତିକୃଷ୍ଣ ବେହେରା, ଶ୍ରୀକୃଷ୍ଣ ପଣ୍ଡା, ଡିପିସି ମିଶନ ଶକ୍ତିର ଶାଶ୍ୱତ କୁମାର ସାହୁ, ଆକଶନ୍‌ ଏଡ୍‌ର ଜିଲା ସଂଯୋଜକ ଦେବବ୍ରତ ମହନ୍ତ, ସାମାଜିକ କର୍ମୀ ଶିବପ୍ରସାଦ ରଥଙ୍କ ସମେତ ବିଭିନ୍ନ ମହିଳା ସଂଘର ସଭାନେତ୍ରୀ ଓ ସମ୍ପାଦିକାମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।