ଜୁଲାଇରୁ ଆରମ୍ଭ ହେବ ଚାଇନିଜ ସୁପର ଲିଗ୍‌

ସାଙ୍ଘାଇ,୨୦।୪ (ଏଏଫ୍‌ପି): କରୋନା ଭାଇରସ ସଂକ୍ରମଣ କାରଣରୁ ବିଳମ୍ବିତ ହୋଇଥିବା ଚାଇନିଜ୍‌ ସୁପର ଲିଗ୍‌ (ସିଏସ୍‌ଏଲ୍‌) ଏବେ ଆରମ୍ଭ ହେବାକୁ ଯାଉଛି। ଏହି ଲିଗ୍‌ ଜୁନ୍‌ମାସ ଶେଷ ଆଡକୁ କିମ୍ବା ଜୁଲାଇ ପ୍ରାରମ୍ଭରେ ଆରମ୍ଭ ହେବ ବୋଲି କ୍ଲବ ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ସାରା ବିଶ୍ୱରେ ଫୁଟବଲ ଲିଗ୍‌ଗୁଡିକ ସ୍ଥଗିତ ହୋଇଥିବା ବେଳେ ଏବେ ସମସ୍ତେ ସିଏସ୍‌ଏଲ୍‌ ଆରମ୍ଭ ହେବା ପ୍ରକ୍ରିୟାକୁ ଆଗ୍ରହର ସହ ଲକ୍ଷ୍ୟ ରଖିଛନ୍ତି। ଗତ ଫେବୃୟାରୀ ୨୨ ତାରିଖରେ ଏହା ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ଚାଇନାରେ ଗତ ଡିସେମ୍ବରରେ କରୋନା ଭାଇରସ ପ୍ରଥମେ ମହାମାରୀର ରୂପ ନେଇଥିଲା। ଏହାପରେ ଏହି ଭାରଇସ ସାରା ବିଶ୍ୱକୁ ସଂକ୍ରମିତ ହୋଇଥିଲା।
ଏବେକାର ପରିସ୍ଥିତିକୁ ବିଚାର କରି ନୂଆ ସେଶନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ଗୁଆଝୁ ଆର ଆଣ୍ଡ ଏଫ୍‌ ଅଧ୍ୟକ୍ଷ ହୁଆଙ୍ଗ ଶେନ୍‌ଘୁଆ କହିଛନ୍ତି। ସମ୍ପୂର୍ଣ୍ଣ ରୂପେ ଏହି ସେଶନ ଖେଳାଯିବ ଓ ପ୍ରତ୍ୟେକ ଦଳ ୩୦ଟି ଲେଖାଏ ମ୍ୟାଚ୍‌ ଖେଳିବେ ବୋଲି ହୁଆଙ୍ଗ କହିଛନ୍ତି। ତେବେ ଏ ନେଇ ଚାଇନିଜ ଫୁଟବଲ ଆସୋସିଏଶନ (ସିଏଫ୍‌ଏ) ତରଫରୁ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରାଯାଇ ନାହିଁ।
କରୋନା ଭାଇରସ୍‌କୁ ଆମେ ନିୟନ୍ତ୍ରଣକୁ ଆଣିଛୁ। ତେବେ ପୁଣିଥରେ ବିଦେଶରୁ ଏହି ଭାଇରସ ଆମ ଦେଶକୁ ଆସିବାର ସମ୍ଭାବନା ରହିଛି ବୋଲି ଚାଇନା ଆଶଙ୍କା ପ୍ରକାଶ କରିଛି। ସିଏସ୍‌ଏଲ୍‌ରେ ପୂର୍ବତନ ମାଞ୍ଚେଷ୍ଟର ୟୁନାଇଟେଡ ମିଡ୍‌ଫିଲ୍ଡର ମାରୋଉଆନ ଫେଲ୍ଲାଇନି ଏକମାତ୍ର ଖେଳାଳିଭାବେ କରୋନା ଭାଇରସ୍‌ର ଶିକାର ହୋଇଛନ୍ତି। ଗତ ସପ୍ତାହରେ ତାଙ୍କୁ ହସ୍ପିଟାଲରୁ ମୁକ୍ତ କରାଯାଇଥିଲେ ମଧ୍ୟ ଅବଜରଭେଶନରେ ରହିଥିଲେ। ତେବେ ସେ ଭୟଙ୍କର ଭାବେ ଅସୁସ୍ଥ ନାହାନ୍ତି ବୋଲି କୁହାଯାଇଛି।

Share