Categories: ରାଜ୍ୟ

ଜୁନ୍‌ ୨୨ସୁଦ୍ଧା ରଥ ନିର୍ମାଣ କାମ ସାର: ହାଇକୋର୍ଟ

କଟକ ଅଫିସ୍‌,୧୩ା୫: ଆସନ୍ତା ଜୁନ୍‌ ୨୨ତାରିଖ ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ଏବଂ ଜଷ୍ଟିସ୍‌ ଏସ୍‌.କେ. ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ। ଆବେଦନକାରୀ ଜୟନ୍ତ କୁମାର ବଳଙ୍କ ପକ୍ଷରୁ ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ, ଜୁନ୍‌ ୨୩ରେ ରଥଯାତ୍ରା । କରୋନା ଭୂତାଣୁର ସଂକ୍ରମଣ କମିଲେ କିମ୍ବା ଲକ୍‌ଡାଉନ୍‌ ହଟିବା ପରେ ରଥଯାତ୍ରା ଆୟୋଜନ ହୋଇପାରିବ। ହେଲେ ବିଧି ଅନୁଯାୟୀ, ଯାତ୍ରା ପୂର୍ବରୁ ରଥ ନିର୍ମାଣ ସରିବା ଆବଶ୍ୟକ। ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେଲେ ଯାତ୍ରା ପୂର୍ବରୁ ସରିବ ନାହିଁ। ଏଣୁ ତୁରନ୍ତ ଏନେଇ ନିର୍ଦ୍ଦେଶ ଦେବାକୁ ସେ ଆବେଦନ କରିଥିଲେ। ମାମଲାରେ ରାଜ୍ୟ ସରକାର, ଆଇନ୍‌ ସଚିବ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀ ଜିଲାପାଳ ଏବଂ ପୁରୀ ଏସ୍‌ପିଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଶୁଣାଣିବେଳେ ରାଜ୍ୟ ସରକାରଙ୍କ ତରଫରୁ ଆଡଭୋକେଟ୍‌ ଜେନେରାଲ୍‌ ଅବଗତ କରାଇଥିଲେ ଯେ, ବିଳମ୍ବରେ ରଥ ନିର୍ମାଣ ଆରମ୍ଭ ହୋଇଥିଲେ ମଧ୍ୟ କାମ ଜୋର୍‌ସୋର୍‌ରେ ଚାଲିଛି । ଯାତ୍ରା ପୂର୍ବରୁ ରଥ ନିର୍ମାଣ ଶେଷ ହୋଇଯିବ। କରୋନା ଭୂତାଣୁର ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ମାଣ ସ୍ଥଳରେ ସାମାଜିକ ଦୂରତା ଏବଂ ବିଶୋଧନ ସହ ଅନ୍ୟାନ୍ୟ ପଦକ୍ଷେପ ନିଆଯାଇଥିବା ଏଜିଙ୍କ ତରଫରୁ ଅବଗତ କରାଯାଇଥିଲା ।