Categories: ଖେଳ

ଜୁନ୍‌ ୧୭ରୁ ପୁଣି ଆରମ୍ଭ ହେବ ପ୍ରିମିୟର ଲିଗ୍‌

ଲଣ୍ଡନ, ୨୯।୫(ଏଏଫ୍‌ପି): ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ପ୍ରତିଯୋଗିତା ପ୍ରିମିୟର ଲିଗ୍‌ ଜୁନ୍‌ ୧୭ ତାରିଖରୁ ପୁଣି ଆରମ୍ଭ ହେବ। ଇଂଲିଶ୍‌ ପ୍ରିମିୟର ଲିଗ୍‌ (ଇପିଏଲ୍‌) ଭାବେ ଜଣାଶୁଣା ଥିବା ଏହି ଫୁଟବଲ ପ୍ରତିଯୋଗିତା କରୋନା ଭାଇରସ୍‌ ମହାମାରୀ କାରଣରୁ ସ୍ଥଗିତ ଥିଲା। ସବୁ ୨୦ଟି କ୍ଲବ୍‌ ସର୍ବସମ୍ମତି କ୍ରମେ ଲିଗ୍‌ ପୁଣି ଆରମ୍ଭ କରିବାକୁ ରାଜି ହୋଇଛନ୍ତି। ଏଥିପାଇଁ ଟ୍ରେନିଂକୁ ଫେରିବାକୁ ମଧ୍ୟ ରାଜି ହୋଇଛନ୍ତି। ଲିଗ୍‌ରେ ବାକିଥିବା ୯୨ ମ୍ୟାଚ୍‌ର ସିଧା ପ୍ରସାରଣ ୟୁନାଇଟେଡ କିଙ୍ଗଡମ୍‌ରେ କରାଯିବ। ପ୍ରିମିୟର ଲିଗ୍‌କୁ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଏହା ବିଭିନ୍ନ ପାରିପାର୍ଶ୍ୱକ ପରିସ୍ଥିତି ଉପରେ ନିର୍ଭର କରେ। ସ୍ବାସ୍ଥ୍ୟ ଓ ନିରାପତ୍ତା ନେଇ ସବୁ କିଛି ଠିକ୍‌ଠାକ ନ ହେଲା ପର୍ଯ୍ୟନ୍ତ କିଛି କହିହେବ ନାହିଁ ବୋଲି ପ୍ରିମିୟର ଲିଗ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ରିଚାର୍ଡ ମାଷ୍ଟର୍ସ କହିଛନ୍ତି।
ପ୍ରଥମ ଦୁଇଟି ମ୍ୟାଚ୍‌ରେ ଆଷ୍ଟନ ଭିଲା ଓ ସେଫିଲ୍ଡ ୟୁନାଇଟେଡ, ମାଞ୍ଚେଷ୍ଟର ସିଟି ଓ ଆର୍ସେନାଲ ପରସ୍ପରକୁ ଭେଟିବେ। ଜୁନ ୧୯ରୁ ୨୧ ତାରିଖ ମଧ୍ୟରେ ଏକ ପୂର୍ଣ୍ଣ କାର୍ଯ୍ୟସୂଚୀ ଅନୁଯାୟୀ ମ୍ୟାଚ ଆୟୋଜନ ହେବ। ପ୍ରିମିୟର ଲିଗ୍‌ରେ ୨, ୭୫୨ ଜଣଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିବା ବେଳେ ୧୨ଜଣ ପଜିଟିଭ୍‌ ବୋଲି ଜଣାପଡିଛି।

Share