ଜୁନ୍‌ରେ ଆମେରିକାରେ ପ୍ରତିଦିନ ୨ ଲକ୍ଷ ନୂଆ କରୋନା ସଂକ୍ରମିତ ହେବେ ଚିହ୍ନଟ: ମୃତକଙ୍କ ସଂଖ୍ୟା ପ୍ରତିଦିନ ଛୁଇଁବ ୩ ହଜାର

ଓ୍ବାଶିଂଟନ,୬।୫: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ଅଚଳାବସ୍ଥା ଦେଖାଦେଇଛି। ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୩୭ ହଜାର ୬୩୩ ଥିବାବେଳେ ମୃତ୍ୟୁ ସଂଖ୍ୟା ୭୨ ହଜାର ୨୭୧ ରହିଛି। ଏହି ଧାରା ଜାରି ରହିଲେ ଆସନ୍ତା ଜୁନ୍‌ ବେଳକୁ ଦେଶରେ ପ୍ରତିଦିନ ୨ ଲକ୍ଷ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବ। ସେହିପରି ପ୍ରତିଦିନ ଏଠାରେ ୩ ହଜାରରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହେବ ବୋଲି ଆମେରିକା ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ଟାଇମ୍ସ୍‌ ଏବଂ ଓ୍ବାଶିଂଟନ ପୋଷ୍ଟ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କ ସରକାରଙ୍କ ପକ୍ଷରୁ କରାଯାଇଥିବା କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ଆକଳନ ଠିକ୍‌ ଭାବେ କରାଯାଇ ନ ଥିବା ଏହି ରିପୋର୍ଟ ଦର୍ଶାଯାଇଛି। ଇତିମଧ୍ୟରେ ହ୍ବାଇଟ୍‌ ହାଉସ୍‌ରେ କାମ କରୁଥିବା କରୋନା ଟାସ୍କ୍‌ ଫୋର୍ସ ଅଧିକାରୀଙ୍କୁ ବାହାରେ କୌଣସି ମନ୍ତବ୍ୟ ନ ଦେବାକୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ,ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ୍‌ ମେଟ୍ରିକ୍ସ୍‌ ଅନୁସାରେ ଅଗଷ୍ଟ ୪ ପର୍ଯ୍ୟନ୍ତ ଦେଶରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଏନେଇ ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି।

Share