ଜୁନ୍‌ରୁ କ୍ରୀଡ଼ା ପ୍ରକ୍ରିୟା ଆରମ୍ଭ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୨୦।୫: କୋଭିଡ୍‌-୧୯ ସଂକ୍ରମଣ କାରଣରୁ ଗତ ଦୁଇମାସ ହେବ ସାରା ବିଶ୍ୱ ତଥା ଦେଶରେ କ୍ରିକେଟ ପୂରା ଠପ୍‌ ହୋଇଛି। ବର୍ତ୍ତମାନ ଏକ ଖୁସି ଖବର ରହିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦେଶରେ ଆସନ୍ତାମାସରୁ କ୍ରିକେଟ ଆରମ୍ଭ କରିପାରେ। ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ କ୍ରିକେଟ ଆରମ୍ଭ ହେବାର ସମ୍ଭାବନା ରହିଛି। ଗତ ଦୁଇଦିନ ହେବ ବୋର୍ଡ ଅଧିକାରୀ ଓ ମ୍ୟାନେଜର ଏ ସଂକ୍ରାନ୍ତରେ ଆଲୋଚନା କରୁଛନ୍ତି। ଫଳରେ ଜୁନ୍‌ରୁ କ୍ରିକେଟ ଖେଳିବା ନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଶା କରାଯାଉଛି।
ବୋର୍ଡ ମଧ୍ୟ କେନ୍ଦ୍ର ସରକାର ସହିତ ଏ ନେଇ ଆଲୋଚନା କରୁଛି। ସବୁ ପ୍ରକାର ପ୍ରୟାସ ଆରମ୍ଭ କରାଯାଉଥିଲେ ମଧ୍ୟ ଭାରତକୁ ନେଇ ଅନ୍ତର୍ଜାତୀୟ କ୍ରିକେଟ କେବେ ଆରମ୍ଭ ହେବ ସେ ନେଇ କିଛି ଗ୍ୟାରେଣ୍ଟି ଦେଇ ହେବନାହିଁ ବୋଲି କୁହାଯାଇଛି। କରୋନା ଭାଇରସ ସଂକ୍ରମଣ ପାଇଁ ଭାରତରେ ଗତ ମାର୍ଚ୍ଚ ମାସ ମଧ୍ୟ ଭାଗରୁ କ୍ରିକେଟ ବନ୍ଦ ରହିଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ ମଧ୍ୟ ଏହି କାରଣରୁ ଅଧାରୁ ବନ୍ଦ ରହିଥିଲା। ଏହାପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା।
ଏବେ ଆଇପିଏଲ୍‌ ଆୟୋଜନ ନେଇ ବିସିସିଆଇ ଚିନ୍ତା କରିବା ଆରମ୍ଭ କରିଛି। ବିଶ୍ୱର ଏହି ଶ୍ରେଷ୍ଠ ଟି୨୦ ଲିଗ୍‌ ପାଇଁ ବୋର୍ଡ ଓ୍ବିଣ୍ଡୋ ଖୋଜିବା ଆରମ୍ଭ କରିଛି। ପାଖାପାଖି ୪, ୦୦୦ କୋଟି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିସିସିଆଇ ଇତିମଧ୍ୟରେ ପ୍ରସାରଣକାରୀ ସଂସ୍ଥା ଓ ପ୍ରାୟୋଜକଙ୍କଠାରୁ ୨,୦୦୦ କୋଟି ଟଙ୍କା ନେଇ ସାରିଛି। ଏପରିସ୍ଥଳେ ୮ଟି ଦଳକୁ ନେଇ ଆଇପିଏଲ ଆୟୋଜନ କରିବା ବୋର୍ଡ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସଦୃଶ ହୋଇଛି। ଦ୍ୱିପାକ୍ଷିକ ସିରିଜ ଆୟୋଜନ କରିବା ସେତେଟା କଷ୍ଟକର ନୁହଁ। କିନ୍ତୁ ବିଦେଶୀ ଓ ଦେଶୀ ଖେଳାଳି ଓ ଭିନ୍ନ ଭିନ୍ନ ଭେନ୍ୟୁରେ ୮ଟି ଦଳକୁ ନେଇ ଆଇପିଏଲ୍‌ ଆୟୋଜନ କରିବା ବେଶ୍‌ କଷ୍ଟକର।

Share